ପୁରୀ,: ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଓ ଦୁର୍ଲଭ ଗଜାନନ ବେଶ । ମହାବାହୁଙ୍କ ଦର୍ଶନ ପାଇଁ ବ୍ୟାକୁଳ  ଭକ୍ତ  ।  ଦେବସ୍ନାନ ପୂର୍ଣ୍ଣିମା ଆଣିଦେବ ସେହି  ଦିବ୍ୟ ମୁହୂର୍ତ୍ତ । ଏବେଠାରୁ ବଡ଼ଦାଣ୍ଡରେ ଥାଇ ହଜାର ହଜାର  ଭକ୍ତଙ୍କ ଦୃଷ୍ଟି ସ୍ନାନମଣ୍ଡପ ଉପରେ ।  ସୋମବାର ପହଣ୍ଡି  ସରିସ୍ନାନମଣ୍ଡପରେ ଠାକୁରଙ୍କ ମଙ୍ଗଳାଳତି  ହେବ । ୧୨ଟାରୁ ଅପରାହ୍ଣ ୨ଟା ମଧ୍ୟରେ ଜଳ ବିଜେ ପୂଜା  ଓ ସ୍ନାନ । ଅପରାହ୍ନ ୫ଟା ମଧ୍ୟରେ ବେଶ ବଢି଼ରାତି ୧୦ଟା  ପର୍ଯ୍ୟନ୍ତ ଦାରୁବ୍ରହ୍ମ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।  ରାତି ସାଢ଼େ ୭ଟାରୁ ୯ଟା ୩୦ ସାହାଣମେଲା ଦର୍ଶନ । ୧୧ଟାରୁ  ଠାକୁରଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ । ଆଜି ସ୍ନାନ ଯାତ୍ରାରେ ମହାପ୍ରଭୁ ସ୍ନାନ କରିବେ। ବିଶ୍ୱରେ ଏମିତି ଦିଅଁ ଇଏ ଯାହାଙ୍କର ସ୍ନାନ କୁ ନେଇ ଯାତ୍ରା ।  ସବୁଦିନ ସ୍ନାନ କରନ୍ତି ଆଜି ଭି ସ୍ନାନ କରିବେ ।  ହେଲେ ସବୁଦିନ ଯେଉଁ ସ୍ନାନ କରନ୍ତି  ତାଙ୍କ ସମ୍ମୁଖରେ ଦର୍ପଣ ରଖାଯାଏ ଏବଂ ସେଥିରେ ତାଙ୍କ ପ୍ରତିବିମ୍ବ ପଡେ ସେ ଦର୍ପଣ କୁ ସ୍ନାନ କରାଯାଏ ତାକୁ ବିମ୍ବ ସ୍ନାନ କୁହାଯାଏ l କିନ୍ତୁ ଆଜି ଯେଉଁ ସ୍ନାନ କରିବେ ତାକୁ ପ୍ରତ୍ୟେକ୍ଷ ସ୍ନାନ କୁହାଯାଏ ।

ଏହି ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ  ଭିତ୍ତି ଭୂମିର ଲୀଳା l ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥେମେ ଏହି ସ୍ନାନ ହୋଇଥିବାରୁ ଶ୍ରୀ ଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ l ମହାପ୍ରଭୁ ଦାରୁ ବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମେ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା ଅନୁଷ୍ଠିତ କରିଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ । ସେତେବେଳେ ସ୍ନାନ ମଣ୍ତପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହେଉଥିଲା l ସେଥିପାଇଁ ଶାସ୍ତ୍ରରେ ଏହାକୁ ମଞ୍ଚାସ୍ନାନ ବୋଲି ଉଲେଖ କରାଯାଇଛି l  ଶାସ୍ତ୍ର ମତରେ ୧୦୮ ସ୍ନାନ କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁ ବ୍ରହ୍ମଙ୍କ ଆଦ୍ୟ ସ୍ଥାନ ଲୀଳା ସମାପନ ହୋଇଥିଲା  । ସେଇ ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଅଛି ।