ଭୁବନେଶ୍ବର: ରାଜ୍ୟର ଇସ୍ପାତ ଶିଳ୍ପରେ ଜାପାନର ପୁଞ୍ଜିନିବେଶ ବୃଦ୍ଧି ପାଇଛି। ସମ୍ବଲପୁରରେ ଥିବା ‘ଜେଏସ୍ଡବ୍ଲ୍ୟୁ ଜେଏଫ୍ଇ କଳିଙ୍ଗ’ ପ୍ରକଳ୍ପରେ ଜାପାନର ଜେଏଫ୍ଇ ଷ୍ଟିଲ୍ ଅତିରିକ୍ତ ୭,୮୭୫ କୋଟି ଟଙ୍କା ନିବେଶ କରି ଆଉ ୨୫ ପ୍ରତିଶତ ଅଂଶଧନ ହାସଲ କରିଛି। ଫଳରେ ଏହି ଯୌଥ ଉଦ୍ୟୋଗରେ ଉଭୟ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଓ ଜେଏଫ୍ଇ ଷ୍ଟିଲ୍ର ସମାନ ୫୦ ପ୍ରତିଶତ ଲେଖାଏଁ ଅଂଶଧନ ହୋଇଛି। ‘ଜେଏସ୍ଡବ୍ଲ୍ୟୁ ଜେଏଫ୍ଇ କଳିଙ୍ଗ’ରେ ୧୫,୭୫୦ କୋଟି ଟଙ୍କା ନିବେଶ କରିବାକୁ ଜେଏଫ୍ଇ ଷ୍ଟିଲ୍ ପୂର୍ବରୁ ଘୋଷଣା କରଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନି ୭,୮୭୫ କୋଟି ଟଙ୍କା ନିବେଶ କରି ୨୫ ପ୍ରତିଶତ ଅଂଶଧନ ନେଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ସେହି କାରବାର ହୋଇଥିଲା। ଜୁନ ମାସରେ କମ୍ପାନି ଅବଶିଷ୍ଟ ୭,୮୭୫ କୋଟି ଟଙ୍କା ନିବେଶ କରିଛି। ସମ୍ବଲପୁର ସ୍ଥିତ ଭୂଷଣ ପାୱାର ଆଣ୍ଡ୍ ଷ୍ଟିଲ୍ ଲିମିଟେଡ୍ (ବିପିଏସ୍ଏଲ୍)କୁ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ୨୦୨୧ରେ ଅଧିଗ୍ରହଣ କରିଥିଲା। ଏହି ପ୍ରକଳ୍ପ ପାଇଁ ପରବର୍ତ୍ତୀ ସମୟରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଓ ଜେଏଫ୍ଇ ଷ୍ଟିଲ୍ ହାତ ମିଳାଇଥିଲେ। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତାକୁ ୪.୫ ନିୟୁତ ଟନ୍ରୁ ବଢ଼ାଇ ୧୦ ନିୟୁତ ଟନ୍ କରିବାକୁ ଉଭୟ ସଂସ୍ଥା ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସେମାନେ ମିଳିତ ଭାବେ ୩୨ ହଜାର କୋଟି ଟଙ୍କା ନିବେଶ କରିବେ।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାରେ ଗଞ୍ଜାମର ଗୋପାଳପୁରରେ ଏସିଏମ୍ଇ ଓ ଆଇଏଚ୍ଆଇ କର୍ପୋରେସନ ପକ୍ଷରୁ ସ୍ଥାପନ କରାଯାଉଥିବା ବାର୍ଷିକ ୪.୫ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଗ୍ରିନ୍ ଆମୋନିଆ ପ୍ରକଳ୍ପକୁ ଜାପାନ ସରକାର ‘ପ୍ରାଇସ୍ ଗ୍ୟାପ୍ ସପୋର୍ଟ କାର୍ଯ୍ୟକ୍ରମ’ ଅଧୀନରେ ଅନୁମୋଦନ କରିଛନ୍ତି। ଏହା ଅଧୀନରେ ୨,୨୮,୦୦୦ ଟନ୍ ଗ୍ରିନ ଆମୋନିଆ ଯୋଗାଣ ପାଇଁ ଜାପାନ ମୂଲ୍ୟ ସହାୟତା ପ୍ରଦାନ କରିବ। ୨୦୩୦ ସେପ୍ଟେମ୍ବର ପରଠାରୁ ୨୫ ବର୍ଷ ପାଇଁ ସେହି ସୁବିଧା ମିଳିବ। ସେହିପରି ଏହି କାରଖାନାର ଅତିରିକ୍ତ ୧,୭୭,୦୦୦ ଟନ୍ ଆମୋନିଆକୁ ଜାପାନ ଶକ୍ତି କ୍ଷେତ୍ର ପାଇଁ ନେବାକୁ ନିଷ୍ପତ୍ତି ନେଇଛି।
