ନୂଆଦିଲ୍ଲୀ : ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ‘ନାଇଟ୍‌ ରାଇଡର୍ସ ଗ୍ରୁପ୍‌’ ଆମେରିକାରେ ଇତିହାସ ରଚିଛି । ବିଶ୍ୱର ପ୍ରଥମ କ୍ରିକେଟ୍‌ ଗ୍ରାଉଣ୍ଡ୍‌ ଭାବରେ ନାଇଟ୍‌ ରାଇଡର୍ସ ବିଦେଶ ମାଟିରେ ନିଜର ଏକ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ ପ୍ରତିଷ୍ଠା କରିଛି । ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟର ପୋମୋନାଠାରେ ଏହି ବିଶ୍ୱସ୍ତରୀୟ ଷ୍ଟାଡିୟମ୍‌ ‘ନାଇଟ୍‌ ରାଇଡର୍ସ କ୍ରିକେଟ୍‌ ଗ୍ରାଉଣ୍ଡ୍‌, ଏଲ୍‌ଏ’ର ଆନୁଷ୍ଠାନିକ ଉଦ୍‌ଘାଟନ କରାଯାଇଛି । ନାଇଟ୍‌ ରାଇଡର୍ସ ଗ୍ରୁପ୍‌ ଆମେରିକାର ମେଜର ଲିଗ୍‌ କ୍ରିକେଟ୍‌ ରେ ‘ଲସ ଆଞ୍ଜେଲସ ନାଇଟ୍‌ ରାଇଡର୍ସ’ ଦଳର ବି ମାଲିକ । ବର୍ତ୍ତମାନ ଏହି ଦଳକୁ ଏକ ସ୍ଥାୟୀ ଏବଂ ନିଜସ୍ୱ ଘରୋଇ ଗ୍ରାଉଣ୍ଡ୍‌ ମିଳିଛି । ଏହି ନୂତନ ଷ୍ଟାଡିୟମ ହୋଷ୍ଟ କରିଛି ପ୍ରଥମ ଏମଏଲସି ମ୍ୟାଚ୍‌ । ଲସ ଆଞ୍ଜେଲସ ନାଇଟ୍‌ ରାଇଡର୍ସ ଏବଂ ୱାଶିଂଟନ ଫ୍ରିଡମ୍‌ ମଧ୍ୟରେ ଖେଳାଯାଇଛି ପ୍ରଥମ ମ୍ୟାଚ୍‌ ।
ଷ୍ଟାଡିୟମର ଉଦ୍‌ଘାଟନ ଅବସରରେ ଭାବୁକ ହୋଇ ସୁପରଷ୍ଟାର ଶାହରୁଖ ଖାନ ସୋସିଆଲ ମିଡିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ‘ଯାହା ଏକ ସ୍ୱପ୍ନ ଥିଲା, ତାହା ଆଜି ସତ୍ୟରେ ପରିଣତ ହୋଇଛି । ବିଶ୍ୱର ଦ୍ୱିତୀୟ ସବୁଠାରୁ ଜନପ୍ରିୟ ଖେଳ କ୍ରିକେଟ୍‌କୁ ଲସ ଆଞ୍ଜେଲସକୁ ଆଣିବା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଏହା କେବଳ ଏକ ଖେଳ ପଡ଼ିଆ ନୁହେଁ, ବରଂ ଏହା ପରିବାର, ପ୍ରଶଂସକ ଏବଂ ଆଗାମୀ ପିଢ଼ିର କ୍ରିକେଟରମାନଙ୍କୁ ଏକାଠି କରିବା ସହ ଅନେକ ସ୍ମୃତି ସାଉଁଟିବାର ଏକ ମାଧ୍ୟମ ସାଜିବ ।’ ଏହି ପ୍ରକଳ୍ପକୁ ସଫଳ କରିବାରେ ସହଯୋଗ କରିଥିବାରୁ ଶାହରୁଖ ଖାନ ଆଇସିସି ମୁଖ୍ୟ ଜୟ ଶାହ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଷ୍ଟାଡିୟମର ପ୍ରତିଷ୍ଠା କେବଳ ଆମେରିକା କ୍ରିକେଟ୍‌ ଲିଗ୍‌ ପାଇଁ ନୁହେଁ, ବରଂ ବିଶ୍ୱ କ୍ରିକେଟ୍‌ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୦୨୮ ମସିହାରେ ଆମେରିକାର ଲସ ଆଞ୍ଜେଲସରେ ଅନୁଷ୍ଠିତ ହେବାକୁ ଥିବା ସମର ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଏହି କାରଣରୁ ନାଇଟ୍‌ ରାଇଡର୍ସର ଏହି ଆନ୍ତର୍ଜାତୀୟ ସ୍ତରର କ୍ରିକେଟ୍‌ ଗ୍ରାଉଣ୍ଡ ୨୦୨୮ ଅଲିମ୍ପିକ୍ସ ମ୍ୟାଚ୍‌ ଗୁଡ଼ିକୁ ଆୟୋଜନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଆମେରିକା ମାଟିରେ କ୍ରିକେଟର ପ୍ରଚାର ଓ ପ୍ରସାର ପାଇଁ ଏହି ଷ୍ଟାଡିୟମ୍‌ ଏକ ମାଇଲଖୁଣ୍ଟ ସଦୃଶ ହେବ ବୋଲି ଆଇସିସି ଆଶା ପ୍ରକାଶ କରିଛି ।