ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତତ୍କାଳୀନ ରୋଷେୟା ତଥା ଅନ୍ୟତମ ଅଭିଯୁକ୍ତ ମନ୍ମଥ କୁମ୍ଭଙ୍କୁ ବୁଧବାର ଗିରଫ କରାଯାଇଛି। ଜାମିନ ବିହୀନ ଗିରଫ ପରୱାନା (NBW) ଆଧାରରେ ମନ୍ମଥ କୁମ୍ଭଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୁଲିସ। ଗତ ଜୁଲାଇ ମାସରେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଆତ୍ମସମର୍ପଣ କରିଥିଲେ। ସେହି ଦିନଠାରୁ ସେ ପାରଳାଖେମୁଣ୍ଡି ଜେଲ୍ରେ ଅଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ମୃତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ମଧ୍ୟ ପୁଲିସ ଗିରଫ କରିବାର ଆଶଙ୍କା ବୃଦ୍ଧି ପାଇଛି। କାରଣ ତାଙ୍କ ଆବେଦନ ଆଜି ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ଗତ ୯ ତାରିଖରେ ହାଇକୋର୍ଟ ତାଙ୍କ ଉପରୁ ଅନ୍ତରୀଣ ସୁରକ୍ଷା ହଟାଇ ଦେବା ପରେ ସେ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ୍ ଲିଭ୍ ପିଟିସନ୍ ଦାଖଲ କରିଥିଲେ। କିନ୍ତୁ ସେଠାରୁ ତାଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ଫଳରେ ୨୦୨୩ରେ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନା (NBW) ଆଧାରରେ ତାଙ୍କୁ ମଧ୍ୟ ଗିରଫ କରାଯିବାର ସମ୍ଭାବନା ରହିଛି।
୨୦୨୧ ଜୁଲାଇ ୧୧ ତାରିଖ ରାତିରେ ଏସିଏଫ ସୌମ୍ୟରଞ୍ଜନ ଅତି ସନ୍ଦେହଜନକ ଅବସ୍ଥାରେ ପୋଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତା’ ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା। ମାମଲାର ତଦନ୍ତ କରି ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଅଗ୍ନି ନିର୍ବାପନରେ ଅବହେଳା ଦଫାରେ ଚାର୍ଜସିଟ ଦାଖଲ କରିବା ସହ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ। ଏହାକୁ ଚ୍ୟାଲେଞ୍ଜ କରି ସୌମ୍ୟରଞ୍ଜନଙ୍କ ପରିବାର ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ମାମଲା ଦାଏର କରିଥିଲେ।
