ଫୁଲବାଣୀ: ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲ୍ଲାର ଅନେକ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଫୁଲବାଣୀ ସହର ସମେତ ବାଲିଗୁଡ଼ା, ଜି.ଉଦୟଗିରି, ତୁମୁଡିବନ୍ଧ, ରାଇକିଆ, ଦାରିଙ୍ଗବାଡ଼ି, ଚକାପାଦ ଓ ଅନ୍ୟାନ୍ୟ ଅଞ୍ଚଳରେ ଅବିରତ ବର୍ଷା ହେବାରୁ ରାସ୍ତାଘାଟରେ ପାଣି ଜମିଛି। କେତେକ ସ୍ଥାନରେ ଯାତାୟାତ ଆଂଶିକ ପ୍ରଭାବିତ ହୋଇଥିବା ବେଳେ ଦୁର୍ଗମ ଅଞ୍ଚଳର କଚ୍ଚା ରାସ୍ତା କାଦୁଅ ହୋଇଯାଇଛି।
ନଦୀ ଓ ନାଳର ଜଳସ୍ତର ବୃଦ୍ଧି ପାଇଥିବାରୁ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ଥିବା ଲୋକ ମାନଙ୍କୁ ସତର୍କତା ସହ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମସ୍ତ ବ୍ଲକ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ଓ ବିପର୍ଯ୍ୟୟ ପରିଚାଳନା ଟିମ୍ ପ୍ରସ୍ତୁତ ରହିଛନ୍ତି। ଲଗାଣ ବର୍ଷା ଯୋଗୁଁ କେତେକ ସ୍ଥାନରେ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଥିବା ବେଳେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଉଛି। ଅତ୍ୟାବଶ୍ୟକ କାମ ନ ଥିଲେ ଘରୁ ବାହାରକୁ ନ ଯିବା, ନଦୀ ଓ ନାଳ ନିକଟକୁ ନ ଯିବା ସହ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି । ଜିଲ୍ଲାର ସବୁଠୁ ଅଧିକ ଖଜୁରୀପଡା ଏବଂ ଫୁଲବାଣୀ ବ୍ଲକରେ 150 ମିଲିମିଟର ବର୍ଷା ହୋଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି ।
ତୁମୁଡିବନ୍ଧ ବିଡ଼ିଓ ବନବିହାରୀ ହରପାଲ କହିଛନ୍ତି, ‘‘ଲଘୁଚାପ ଜନିତ ବର୍ଷାର ପ୍ରଭାବ ସାରା କନ୍ଧମାଳ ଜିଲାରେ ଦେଖିବାକୁ ମିଳୁଛି । ଏହାର ପ୍ରଭାବରେ ତୁମୁଡିବନ୍ଧ ବ୍ଲକର ରାହୁଲ ନଦୀ, ଉତେଇ ନଦୀ, କରାସର ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ଏଥିପାଇଁ ପ୍ରଶାସନ ପୁରା ସଜାଗ ରହିଛି । ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଦମକଳ ବାହିନୀ, ଓଡ୍ରାଫ ଟିମ ପ୍ରସ୍ତୁତ ଅଛନ୍ତି । ବର୍ଷା ସମୟରେ ତଳିଆ ଅଞ୍ଚଳ ଯିବା ପାଇଁ ଜନସାଧାରଣଙ୍କୁ ମନା କରାଯାଇଛି । ଆବଶ୍ୟକ ହେଲେ ଅସ୍ଥାୟୀ ଘର ମଧ୍ୟ ବିଭିନ୍ନ ପଞ୍ଚାୟତରେ ମହଜୁଦ ଅଛି । ସେଠାରେ ମଧ୍ୟ ଲୋକଙ୍କୁ ଥଇଥାନ କରାଯିବ ’’।
ତୁମୁଡିବନ୍ଧ ତହସିଲଦାର ଦଳଗୋବିନ୍ଦ ସାହୁ କହିଛନ୍ତି ‘‘ସମ୍ପୂର୍ଣ୍ଣ ଟିମ ପ୍ରସ୍ତୁତ ଅଛନ୍ତି । ବର୍ଷା କମିଲେ ସମସ୍ତ ପଞ୍ଚାୟତକୁ ଏକ ସ୍ୱତନ୍ତ୍ର ଦଳ ଗଠନ କରି କ୍ଷୟକ୍ଷତିର ଆକଳନ କରାଯିବା ସହ ସରକାରଙ୍କୁ ଅବଗତ କରାଯିବ ’’।
