ଭୁବନେଶ୍ୱର: ସୁଦୃଢ ହେବ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆନ୍ତଃ-ରାଜ୍ୟ ସମନ୍ୱୟ । ତ୍ୱରାନ୍ୱିତ ହେବ ବିଭିନ୍ନ ପ୍ରସଙ୍ଗଗୁଡ଼ିକର ସମାଧାନ । ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ନିଆଯାଇଛି ସାମୂହିକ ସଂକଳ୍ପ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ସହ ସମାପନ ହୋଇଛି ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦ ସ୍ଥାୟୀ କମିଟିର ୧୫ତମ ବୈଠକ । ବୈଠକରେ ୭୪ଟି ଏଜେଣ୍ଡା ଉପରେ ଆଲୋଚନା ହୋଇଛି ।
ପୂର୍ବାଞ୍ଚଳ ପରିଷଦ ସ୍ଥାୟୀ କମିଟିର ୧୫ତମ ବୈଠକ ଆଜି ଭୁବନେଶ୍ୱର ଅନୁଷ୍ଠିତ ହୋଇଛି । ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନସ୍ଥ ଆନ୍ତଃ-ରାଜ୍ୟ ପରିଷଦ ସଚିବାଳୟ ଦ୍ୱାରା ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ହୋଇଛି । ଆୟୋଜକ ରାଜ୍ୟ ଭାବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି । ମୋଟ ୭୪ଟି ଏଜେଣ୍ଡା ଆଲୋଚନା ପାଇଁ ଉପସ୍ଥାପିତ ହୋଇଛି । ଏଥିମଧ୍ୟରେ ପୂର୍ବ ବୈଠକରୁ ରହିଥିବା ୧୨ଟି ପ୍ରସଙ୍ଗ, ୬୧ଟି ନୂତନ ପ୍ରସଙ୍ଗ ଓ ଗୋଟିଏ ପ୍ରସ୍ତାବ ଅଂଶଗ୍ରହଣକାରୀ ରାଜ୍ୟଗୁଡ଼ିକର ଶ୍ରେଷ୍ଠ ପଦ୍ଧତି ଅବଲମ୍ବନ କରାଯାଉଥିବା ସମ୍ପର୍କିତ ସାମିଲ ଥିଲା ।ବୈଠକରେ ଆଲୋଚିତ ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ଆନ୍ତଃ-ରାଜ୍ୟ, ଉନ୍ନୟନମୂଳକ କାର୍ଯ୍ୟ ଏବଂ ସୁଶାସନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ପ୍ରମୁଖ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ଆନ୍ତଃ-ରାଜ୍ୟ ଜଳ ସମସ୍ୟା, ବନ୍ୟା ପରିଚାଳନା, ଭିତ୍ତିଭୂମି ବିକାଶ, ରେଳ ପ୍ରକଳ୍ପ, ଥଇଥାନ ଓ ପୁନର୍ବାସ, କ୍ଷତିପୂରଣ, ପରିବେଶକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳରେ ଖଣି କାର୍ଯ୍ୟକଳାପ ଓ ତଦ ଜନିତ ସମସ୍ୟାର ସମାଧାନ, ମଣିଷ-ହାତୀ ସଂଘର୍ଷ ପରିଚାଳନା, ସାଇବର ସୁରକ୍ଷା, ଡିଜିଟାଲ ଭିତ୍ତିଭୂମି, ଦୂରସଞ୍ଚାର ସଂଯୋଗୀକରଣ, ବ୍ୟାଙ୍କିଂ ସେବା ବିହୀନ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସୁବିଧା ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସଂପର୍କିତ ଅନ୍ତର୍ଭୁକ୍ତ ।ସୁବର୍ଣ୍ଣରେଖା ବହୁମୁଖୀ ପ୍ରକଳ୍ପ ଏବଂ ଓଡ଼ିଶା ଓ ଝାଡ଼ଖଣ୍ଡକୁ ପ୍ରଭାବିତ କରୁଥିବା ବନ୍ୟାଜନିତ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଓଡ଼ିଶା ଓ ଝାଡ଼ଖଣ୍ଡର ଜଳସମ୍ପଦ ବିଭାଗର ସଚିବମାନଙ୍କୁ ନିଜ ନିଜ ଟିମ ସହିତ ମିଳିତ ଆଲୋଚନା କରି ପରବର୍ତ୍ତୀ ପୂର୍ବାଞ୍ଚଳ ପରିଷଦ ବୈଠକ ପୂର୍ବରୁ ଏକ ସର୍ବୋତ୍ତମ ସମାଧାନ ବାହାର କରିବାକୁ ପରାମର୍ଶ ଦିଆଯାଇଛି । ପୂର୍ବାଞ୍ଚଳ ପରିଷଦ ଅନ୍ତର୍ଗତ ଅନ୍ୟ ରାଜ୍ୟଗୁଡ଼ିକ ସଂପର୍କିତ ଆନ୍ତଃ-ରାଜ୍ୟ ନଦୀ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି ।ବୈଠକରେ ଓଡ଼ିଶାର ଟେଲିକମ ସଂଯୋଗୀକରଣ ସଂପର୍କିତ ରହୁଥିବା ସମସ୍ୟା ଉପରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଗୁରୁତ୍ୱାରୋପ କରି ବୈଠକରେ ଆଲୋଚନା କରିଛନ୍ତି । ବ୍ୟାଙ୍କିଂ ସେବା ବିହୀନ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସେବାର କାର୍ଯ୍ୟକାରିତା, ନେଟୱର୍କ ସଂଯୋଗୀକରଣ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଅଧୀନରେ ଥିବା ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରିତା ଓ ସାଇବର ଅପରାଧ ତଦନ୍ତ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି ।ଝାଡ଼ଖଣ୍ଡରେ ବିଭିନ୍ନ ନଦୀବନ୍ଧ ନିର୍ମାଣ ସମ୍ବନ୍ଧୀୟ ପ୍ରସଙ୍ଗ ସହିତ ଥଇଥାନ, ପୁନର୍ବାସ ଏବଂ କ୍ଷତିପୂରଣ ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା ହୋଇଛି । ରେଳବାଇ ସମ୍ବନ୍ଧୀୟ ପ୍ରସଙ୍ଗ, କ୍ଷତିପୂରଣ ସହିତ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଅଗ୍ରଗତି ମଧ୍ୟ ସମୀକ୍ଷା ହୋଇଛି । ସ୍ଥାୟୀ କମିଟି ବୈଠକରେ ଖାଦ୍ୟ ସୁରକ୍ଷା ମାନଦଣ୍ଡ ଓ ନିୟାମକ ଢାଞ୍ଚା, ଡିଜିଟାଲ ଭିତ୍ତିଭୂମିର ସୁଦୃଢ଼ୀକରଣ, ଡାଟା ସେଣ୍ଟରର ଅଭିବୃଦ୍ଧି, ସୂଚନା ପ୍ରଯୁକ୍ତି ସମ୍ବନ୍ଧୀୟ ପଦକ୍ଷେପ, ଶିଶୁମାନଙ୍କର ବାଧ୍ୟତାମୂଳକ ବାୟୋମେଟ୍ରିକ ଅପଡେଟ ଏବଂ ପିଏମ-ବିଦ୍ୟାଲକ୍ଷ୍ମୀ ଯୋଜନାର କାର୍ଯ୍ୟାନ୍ୱୟନରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପରେ ମଧ୍ୟ ଆଲୋଚନା ହୋଇଛି । ସେହିପରି ପୂର୍ବାଞ୍ଚଳ ପରିଷଦ ଅନ୍ତର୍ଗତ ରାଜ୍ୟଗୁଡ଼ିକରେ ପ୍ରମୁଖ ଖଣିଜ ବ୍ଲକଗୁଡ଼ିକର ନିଲାମ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ସଡ଼କ ସଂଯୋଗୀକରଣ ଓ ସଫଳତା, ଜଳ ଜୀବନ ମିଶନ ୨.୦ର କାର୍ଯ୍ୟାନ୍ୱୟନ ସ୍ଥିତି, ସହରାଞ୍ଚଳ ମାଷ୍ଟର ପ୍ଲାନଗୁଡ଼ିକର ଅଦ୍ୟତନ କରାଯିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ ଅଧୀନରେ ଅନୁମୋଦନ ଓ ଅଗ୍ରଗତି, ବିଦ୍ୟାଳୟରୁ ଅଧାରୁ ପାଠପଢା ଛାଡ଼ିବା ହାର ହ୍ରାସ ପାଇଁ ପଦକ୍ଷେପ ଏବଂ ‘ସହକାର ସେ ସମୃଦ୍ଧି’ ଅଧୀନରେ ସମବାୟ କ୍ଷେତ୍ର ସମ୍ବନ୍ଧୀୟ ପଦକ୍ଷେପ ଅନ୍ତର୍ଭୁକ୍ତ । ଅପରାହ୍ନ ଅଧିବେଶନରେ ରାଜ୍ୟଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଇଥିବା ଶ୍ରେଷ୍ଠ ପଦ୍ଧତି ଓ ଅଭିନବ ପଦକ୍ଷେପଗୁଡ଼ିକ ଉପରେ ଗୁରୁତ୍ୱାରୋପ ହୋଇଛି ।ଓଡ଼ିଶା ପକ୍ଷରୁ ନାଗରିକ-କୈନ୍ଦ୍ରିକ ଡିଜିଟାଲ ସୁଶାସନ ପଦକ୍ଷେପ ଭାବେ ‘ଆମ ସାଥୀ’ ହ୍ୱାଟସ୍‌ଆପ ଚାଟବଟ ବ୍ୟବହାର ସଂପର୍କିତ ଉପସ୍ଥାପନ ହୋଇଛି । ରାଜ୍ୟ ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କର ସାମାଜିକ-ଆର୍ଥିକ ସଶକ୍ତିକରଣ, ଯୋଜନାର କାର୍ଯ୍ୟକାରିତା ମୂଲ୍ୟାଙ୍କନ ଅଧ୍ୟୟନ ଏବଂ ସୁଭଦ୍ରାରୁ ମୁଦ୍ରା ଉଦ୍ୟୋଗୀ ହେବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋକପାତ ହୋଇଛି । ଅଧିବେଶନରେ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ପଦକ୍ଷେପ ସଂପର୍କିରେ ମଧ୍ୟ ଉପସ୍ଥାପିତ ହୋଇଛି । ବିହାର ସରକାରଙ୍କ ପକ୍ଷରୁ ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ‘ଭବ୍ୟ’ ବା ବିହାର ହେଲଥ ଆପ୍ଲିକେସନ ଫର ଭିଜନାରୀ ଯୋଜନା ଆଣ୍ଡ ଆକ୍ସନ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ସଂପର୍କରେ ଉପସ୍ଥାପନ ହୋଇଛି । ଝାଡ଼ଖଣ୍ଡ ପକ୍ଷରୁ ମତ୍ସ୍ୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ଶ୍ରେଷ୍ଠ ପଦ୍ଧତି, ବିଶେଷକରି ପରିତ୍ୟକ୍ତ କୋଇଲା ଓ ପଥର ଖଣିରୁ ସୃଷ୍ଟ ଜଳାଶୟ ମାନଙ୍କରେ କେଜ କଲଚର ବା ଆଧୁନିକ ମାଛ ଚାଷ ପ୍ରଣାଳୀ ସମ୍ପର୍କରେ ଉପସ୍ଥାପନ ହୋଇଛି ।
ଓଡ଼ିଶା ମୁଖ୍ୟ ସଚିବ ଅନୁ ଗର୍ଗ ସମସ୍ତ କାର୍ଯ୍ୟସୂଚୀ ଉପରେ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଆବଶ୍ୟକ କରୁଥିବା ଅବଶିଷ୍ଟ ପ୍ରସଙ୍ଗ ଉପରେ ସମୟୋପଯୋଗୀ ଓ ସମନ୍ୱିତ କାର୍ଯ୍ୟାନୁଷ୍ଠାନର ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ସମ୍ପୃକ୍ତ ବିଭାଗ ଏବଂ ଅଂଶଗ୍ରହଣକାରୀ ରାଜ୍ୟଗୁଡ଼ିକୁ ମିଳିତ ଭାବେ କାର୍ଯ୍ୟ କରି ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବିକାଶର ଗତିପଥକୁ ସୁଦୃଢ଼ ଏବଂ କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ପାଇଁ ସାମୂହିକ ପ୍ରୟାସକୁ ଅଧିକ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଛନ୍ତି ।ବୈଠକରେ ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନସ୍ଥ ଆନ୍ତଃରାଜ୍ୟ ପରିଷଦ ସଚିବାଳୟର ସଚିବ ଆଶିଷ ଶ୍ରୀବାସ୍ତବ, ବିହାରର ମୁଖ୍ୟ ଶାସନ ସଚିବ ପ୍ରତ୍ୟୟ ଅମୃତ, ଝାଡ଼ଖଣ୍ଡର ଉନ୍ନୟନ ଆୟୁକ୍ତ ଅଜୟ କୁମାର ସିଂହ, ପଶ୍ଚିମବଙ୍ଗ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିନୋଦ କୁମାରଙ୍କ ସମେତ ଅଂଶଗ୍ରହଣକାରୀ ରାଜ୍ୟଗୁଡ଼ିକ ଏବଂ ଆନ୍ତଃରାଜ୍ୟ ପରିଷଦ ସଚିବାଳୟର ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।