ଭୁବନେଶ୍ୱର: ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪ ପାଇଁ ବଡ଼ ସୂଚନା । ଏହି ପରୀକ୍ଷା ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ/ପ୍ରାର୍ଥିନୀଙ୍କୁ ତଥ୍ୟ ଅପଡେଟ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାଲି ପୂର୍ବାହ୍ନ ୧୦ଟାରୁ ୨୯ ତାରିଖ ରାତି ୧୦ଟା ମଧ୍ୟରେ ଅପଡେଟ୍‌ କରିବାକୁ କୁହାଯାଇଛି । ଏନେଇ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ (OUSSSC) ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି । ousssc.odisha.gov.in ରେ ଲଗ୍ ଇନ୍ କରି ଅପଡେଟ୍‌ କରିବାକୁ କୁହାଯାଇଛି । ବୈଧକରଣ ପାଇଁ ଆବଶ୍ୟକ ବୋଲି OUSSSC ସ୍ପଷ୍ଟ କରିଛି । ବୈଧିକୃତ ତଥ୍ୟକୁ ପରବର୍ତ୍ତୀ ଓ ସମ୍ବନ୍ଧିତ କାର୍ଯ୍ୟ ପାଇଁ ବ୍ୟବହାର କରାଯିବ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ଜରୁରୀ ବୋଲି କୁହାଯାଇଛି । ସେହିପରି ଏ ସଂକ୍ରାନ୍ତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଅଧିକ ତଦନ୍ତ ଜାରି ରଖିଥିବା ବେଳେ ବେଆଇନ ଅର୍ଥ କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମଧ୍ୟ ଖୋଲାତାଡ଼ କରୁଛି ।
ଏହି ଜାଲିଆତି ଘଟଣାରେ ସିିବିଆଇ ପକ୍ଷରୁ ଗିରଫ ସଂଖ୍ୟା ୧୮ ହୋଇଥିବା ବେଳେ ମୋଟ୍ ଗିରଫ ସଂଖ୍ୟା ୧୪୧ରେ ପହଞ୍ଚିଥିଲା ।ଗତବର୍ଷ ଅକ୍ଟୋବର ୫ ଓ ୬ରେ ଏସଆଇ ପରୀକ୍ଷା ହେବାର ଥିଲା । ତେବେ ସେପ୍ଟେମ୍ବର ୨୯ ରାତିରେ ବିଶ୍ୱସ୍ତ ସୂଚନା ଆଧାର କରି ବ୍ରହ୍ମପୁର ପୋଲିସ ଆନ୍ଧ୍ରପ୍ରଦେଶ ସୀମାରେ ୩ଟି ଏସି ସ୍ଲିପର ବସକୁ ପିଛା କରିଥିଲା । ଶ୍ରୀକାକୁଲମରେ ୩ ପୋଲିସ ଟିମ୍ ପହଞ୍ଚି ୧୧୭ ଜଣଙ୍କୁ ଉଠାଇ ଆଣିଥିଲା । ୧୧୭ ଜଣଙ୍କ ମଧ୍ୟରୁ ୧୧୪ ଜଣ ଏସଆଇ ପରୀକ୍ଷା ପାଇଁ ଆବେଦନ କରିଥିଲେ । ପ୍ରଶ୍ନପତ୍ର ଓ ଓ ଅନ୍ୟାନ୍ୟ ଟ୍ରେନିଂ ପାଇଁ ସେମାନେ ଭୁବନେଶ୍ୱରରୁ ବସ୍ ରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଯାଉଥିଲେ । ଏନେଇ ଗୋଳନ୍ଥରା ଥାନାରେ ମାମଲା ରୁଜୁ କରାଯାଇ ୩ ଦଲାଲ ଓ ୧୧୪ ଜଣ ଚାକିରି ଆଶାୟୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ପରେ ଗିରଫ ସଂଖ୍ୟା ବଢ଼ିଥିଲା ।

ପୋଲିସ ଏସ୍ଆଇ ପରୀକ୍ଷା ସମେତ ବିଭିନ୍ନ ୟୁନିଫର୍ମ ସେବା ନିଯୁକ୍ତିରେ ଅନିୟମିତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଗତ ନଭେମ୍ବର ୨୧ରେ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ (OUSSSC) ଗଠନ କରିବା ପାଇଁ ଅନୁମୋଦନ କରାଯାଇଥିଲା । ଆଗାମୀ ଦିନରେ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ସାଧାରଣ ବିିଭାଗ ଅଧୀନରେ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନାମରେ ଏକ ସ୍ୱତନ୍ତ୍ର ନିଯୁକ୍ତି ସଂସ୍ଥା ଗଠନ କରାଯିବ ବୋଲି ତତ୍କାଳୀନ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମ ଜରିଆରେ ଘୋଷଣା କରିଥିଲେ ।