ଯାଜପୁର: ଦୀର୍ଘ 8 ବର୍ଷ ପରେ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । ଏହା ପୂର୍ବରୁ କଲେଜ ମାନଙ୍କରେ ଦେଖିବାକୁ ମିଳିଲାନି ପ୍ରାକ୍‌ ନିର୍ବାଚନୀ ହିଂସା । ଆଜି(ଗୁରୁବାର) ଭୋର୍‌ ସମୟରେ ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼ ହୋଇଛି । ଛାତ୍ର ନିବାସ, କଲେଜ ଅଧ୍ୟକ୍ଷଙ୍କ ବାସଭବନ ବାହାରେ ବୋମାମାଡ କରିଛନ୍ତି ଦୁର୍ବୃତ୍ତ । ଏହାକୁ ନେଇ ଛାତ୍ରଛାତ୍ରୀ ଭୟଭୀତ ଅବସ୍ଥାରେ ଅଛନ୍ତି ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ ତ୍ରିପାଠୀ ଓ ଛାତ୍ରଙ୍କ ସୂଚନା ଅନୁସାରେ, ଆଜି ଭୋର 3.20 ମିନିଟ ସମୟରେ ପ୍ରଥମେ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରିନ୍ସପାଲଙ୍କ ବାସଭବନ ଆଗରେ ହଠାତ ବୋମା ଫୁଟିବାର ଶବ୍ଦ ଆସିଥିଲା l ଏହା ପରେ ଅଧ୍ୟକ୍ଷ ଅକ୍ଷୟ ତ୍ରିପାଠୀ ଘର ବାହାରକୁ ଆସି ଦେଖିଲା ବେଳକୁ ସମ୍ପୂର୍ଣ୍ଣ ପରିବେଶ ଧୂଆଁ ହେଇଯାଇଥିଲା l ଏହାପରେ ଅଧ୍ୟକ୍ଷ ଭୟଭୀତ ହେଇ ସାଥି ଅଧ୍ୟାପକଙ୍କୁ ଫୋନ ଯୋଗେ ଡାକି ଥିଲେ l ଏଥିସହିତ କିଛି ସମୟରେ ମହାବିଦ୍ୟାଳୟ ପରିସରରେ ଥିବା ପଠାଣି ସାମନ୍ତ ଛାତ୍ର ନିବାସ ଆଗରେ 3 ରୁ 4ଟି ବୋମା ଫୁଟିଥିଲା l ଏହି ଖବର ଅଧ୍ୟକ୍ଷ ତୁତନ୍ତ ଯାଜପୁର ରୋଡ ପୋଲିସକୁ ସୂଚନା ଦେଇଥିଲେ l
ସୂଚନା ପାଇ ଯାଜପୁର ରୋଡ ଥାନା ଅଧିକାରୀ ଆଶିଷ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଅଫୁଟା ବୋମା ଗୁଡିକୁ ଜବତ କରିଥିଲେ l ଏଥିସହିତ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି l ତେବେ ଏହି ବୋମା ଗୁଡିକ ନଡ଼ିଆ ବାଣ ବୋଲି ଜଣାପଡୁଛି l ସେପଟେ ଆସନ୍ତାକାଲି ଛାତ୍ର ନିର୍ବାଚନ ପାଇଁ ନାମାଙ୍କନ ପାତ୍ର ଦାଖଲ ରହିଛି l ଏହାପୂର୍ବରୁ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼ ଘଟଣାକୁ ନେଇ ଛାତ୍ରଛାତ୍ରୀ ଭୟଭିତ ଥିବା ବେଳେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାବି କରିଛନ୍ତି l

ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ ତ୍ରିପାଠୀ କହିଛନ୍ତି, ‘ବିଳମ୍ବିତ ରାତି ପ୍ରାୟ 3.20 ସମୟରେ ହଠାତ୍‌ ଜୋରରେ ଶବ୍ଦ ହେଲା । ଘର ଧୂଆଁମୟ ହୋଇଉଠିଥିଲା । ଆଖପାଖରେ ଥିବା ଅଧ୍ୟାପକଙ୍କୁ ଜଣାଇଥିଲି । ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ଏପରି ପରିସ୍ଥିତି ଦେଖିବାକୁ ମିଳିଛି । ଆଜି ବୈଠକ ଅଛି ଆଲୋଚନା ହେବ ’
ସେହିପରି ମହାବିଦ୍ୟାଳୟର ଛାତ୍ର ହିତେଶ କୁମାର କୁଣ୍ଡୁ କହିଛନ୍ତି, ରାତିରେ ଶୋଇଥିଲୁ ହଷ୍ଟେଲ ପାଖରେ ବୋମା ଫୁଟିଲା । ଭୟଭୀତ ହୋଇପଡିଥିଲୁ । ପୋଲିସ ଆସି ପଚରାଉଚରା କରିଛନ୍ତି । ତେବେ କିଏ ବୋମାମାଡ କରିଛନ୍ତି ଜାଣିନୁ ।’