ଭୁବନେଶ୍ୱର: ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏକ ବଡ଼ ପଦକ୍ଷେପ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ବିଦେଶ ଶିକ୍ଷାବୃତ୍ତି ଯୋଜନା’ ପାଇଁ ଅନଲାଇନ୍ ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି। ଅନଲାଇନ୍ ଆବେଦନ କରିବାର ଶେଷ ତାରିଖକୁ ୨୦୨୬ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୨୦୨୫-୨୬ ଏବଂ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀମାନେ ଓଡ଼ିଶା ରାଜ୍ୟ ସ୍କୋଲାରସିପ୍ ପୋର୍ଟାଲ୍ (OSS) https://scholarship.odisha.gov.in ମାଧ୍ୟମରେ ସେପ୍ଟେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶର ଶ୍ରେଷ୍ଠ ୨୦୦ QS ରାଙ୍କପ୍ରାପ୍ତ ଶିକ୍ଷାନୁଷ୍ଠାନ ଓ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ଓ ପିଏଚଡି ପାଠ୍ୟକ୍ରମ ଅଧ୍ୟୟନ ନିମନ୍ତେ ବିଦେଶ ଶିକ୍ଷାବୃତ୍ତି ଯୋଜନା ପ୍ରଚଳନ କରାଯାଇଛି। ଆବେଦନ ଦାଖଲ ସମୟରେ ଏହି ରାଙ୍କିଙ୍ଗ ଆଧାରରେ ଶ୍ରେଷ୍ଠ ୨୦୦ ଶିକ୍ଷାନୁଷ୍ଠାନ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ବାର୍ଷିକ ପରିବାର ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଥିବା ଯୋଗ୍ୟ ଏସି/ଏସଟି ଛାତ୍ରଛାତ୍ରୀମାନେ ଏହି ଯୋଜନାର ସୁବିଧା ପାଇବାକୁ ଯୋଗ୍ୟ ହେବେ। ଏହି ଯୋଜନା ଅଧୀନରେ ମୋଟ ୫୦ ଜଣ ଏସି, ଏସଟି ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରାଯିବ।