ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ। ଏହି ଆକଳନ କରିିଛି ବିଭିନ୍ନ ପାଣିପାଗ ମଡେଲ୍। ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ, ଆସନ୍ତା ୧୪ କିମ୍ବା ୧୫ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ, ଯାହାକି ଲଘୁଚାପର ରୂପ ନେଇପାରେ । ଏହା ପ୍ରଭାବରେ ରାଜ୍ୟରେ ରଥଯାତ୍ରା ସମୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପର ସୃଷ୍ଟି ହୋଇପାରେ । ଘୂର୍ଣ୍ଣିବଳୟ ସକ୍ରିୟ ହେବା ପାଇଁ ପାରିପାର୍ଶ୍ବିକ ସ୍ଥିତି ଅନୁକୁଳ ରହିଛି । ଏଭଳି ହେଲେ ଆସନ୍ତା ୧୩ ତାରିଖରୁ ରାଜ୍ୟରେ ବର୍ଷା ବଢିପାରେ। ତେବେ ଆସନ୍ତା ତିନି ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିବ । କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପବନ ହେବାନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଅନ୍ୟପକ୍ଷରେ ହୀରାକୁଦରୁ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି । କୌଣସି ଅଞ୍ଚଳକୁ ବନ୍ୟା ଭୟ ନଥିବାବେଳେ ପ୍ରାୟ ୩୬ ଘଣ୍ଟା ଭିତରେ ମୁଣ୍ଡଳୀରେ ହୀରାକୁଦ ପାଣି ପହଞ୍ଚିବ । ବର୍ଷା ନଥିବାରୁ ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ହ୍ରାସ ଘଟୁଛି ।
