ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ମଞ୍ଜୁରୀ ଲାଭ କରିଛି । ଶାସନ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ କରିଥିବାରୁ ଅଭିନନ୍ଦନ ଜଣାଇ ଓଡ଼ିଶା କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ ଯୋଜନା, OSCMF ଓ OSSC ପାଇଁ ୧,୩୬୦ କୋଟି କର୍ପସ ଫଣ୍ଡ, ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଓ କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।
କଟକରେ ମହାନଦୀ ରିଭରଫ୍ରଣ୍ଟର ସମନ୍ୱିତ ବିକାଶ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏଥିପାଇଁ ୧୩୩ କୋଟି ୭୧ ଲକ୍ଷ ୯୭ ହଜାର ୧୫ ଟଙ୍କା ବ୍ୟୟ ହେବ । ପ୍ରକଳ୍ପରେ ନଦୀକୂଳରେ ପଦଚଲା ପଥ, ସବୁଜିମା, କଟକ ହାଟ, ଖୋଲା ମଞ୍ଚ, ଜଳାଶୟର ପୁନରୁଦ୍ଧାର ଓ ଅନ୍ୟାନ୍ୟ ଜନସୁବିଧା ବିକଶିତ କରାଯିବ । ୨୦୨୬ ନଭେମ୍ବରରୁ ନିର୍ମାଣ କାମ ଆରମ୍ଭ ହୋଇ ୨୦୨୮ ନଭେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି ।
