ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକସ୍ଥିତ ରେଙ୍ଗାଳି ଡ୍ୟାମରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ନିଷ୍କାସନ କରାଯାଇଛି । ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ପରେ କର୍ତ୍ତୃପକ୍ଷ ଡ୍ୟାମର ୮ ନମ୍ବର ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ୮ ନମ୍ବର ଗେଟ୍ ଏବଂ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ୨୦୦୦ ଘନ ମିଟର ବନ୍ୟାଜଳ ନିଷ୍କାସିତ ହେଉଛି। ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ପ୍ରାୟ ୨୫୦୦ ଘନ ମିଟର ଜଳ ପ୍ରବେଶ କରୁଛି, ଯାହା ଫଳରେ ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି ।

ସୂଚନା ଅନୁଯାୟୀ, ରେଙ୍ଗାଳି ଜଳ ଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୨୨.୧୪ ମିଟରରେ ପହଞ୍ଚିଛି। ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଡ୍ୟାମର ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ବନ୍ୟାଜଳ ଛଡ଼ାଯିବା ପରେ ନଦୀର ତଳ ମୁଣ୍ଡରେ ଥିବା ଗାଁଗୁଡ଼ିକରେ ଲୋକଙ୍କୁ ସତର୍କ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ନଦୀ ପଠାକୁ କିମ୍ବା ନଦୀ ଭିତରକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତି ଉପରେ ଡ୍ୟାମ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି ।