72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ଜାତୀୟ ପୁରସ୍କାର ପାଇଛି । ଯାହା ଓଲିଉଡ ପାଇଁ ଏକଂ ଗର୍ବର ବିଷୟ । ଗତକାଲି ଗୁଜୁରାଟରେ ଆୟୋଜିତ ଏହି ଜାତୀୟ ପୁରସ୍କାର କାର୍ଯ୍ୟକ୍ରମରେ ‘ଲହରୀ’ ଫିଲ୍ମ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଓ ପ୍ରଯୋଜିକା ଝିଲ୍ଲିକ ଭର୍ଚ୍ଚାଚାର୍ଯ୍ୟ ଯୋଗ ଦେଇ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି ଆୱାର୍ଡ ପାଇବା ପରେ ଖୁସିବ୍ୟକ୍ତ କରିଛନ୍ତି ଝିଲ୍ଲିକ । ସେ ସୋସିଆଲ ମିଡିଆରେ ଏକ ଲମ୍ୱା ନୋଟ୍ ସେୟାର କରିଛନ୍ତି । ସେ ଓଡ଼ିଶାକୁ ଶ୍ରେୟ ଦେଇଛନ୍ତି ।
ସେ ଲେଖିଛନ୍ତି, ”ଓଡ଼ିଶା, ତୁମେ ମୋତେ କେବଳ ଏକ ପରିଚୟ ଦେଇନାହଁ… ବରଂ ଆଜି ମୁଁ ଯେଉଁ ରୂପରେ ଅଛି, ତାହା ତୁମରି ଦାନ । ଜୀବନରେ ଏମିତି କିଛି ମୁହୂର୍ତ୍ତ ଆସେ ଯେତେବେଳେ ହୃଦୟର ଭାବନା ବ୍ୟକ୍ତ କରିବା ପାଇଁ ଶବ୍ଦ ଛୋଟ ମନେହୁଏ । ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ‘ଲହରୀ’ ଚଳଚ୍ଚିତ୍ର ପାଇଁ ‘ଶ୍ରେଷ୍ଠ ଓଡ଼ିଆ ଫିଚର୍ ଫିଲ୍ମ’ର ଜାତୀୟ ପୁରସ୍କାର ଗ୍ରହଣ କରିବା ଥିଲା ସେହିପରି ଏକ ମୁହୂର୍ତ୍ତ । ସେହି ଜାତୀୟ ମଞ୍ଚରେ ଛିଡ଼ା ହୋଇ ହାତରେ ସେହି ସମ୍ମାନ ଧରିଥିବା ବେଳେ, ମୋ ମନ ସେହି ଯୁବତୀ ଜଣକ ପାଖକୁ ଚାଲିଯାଇଥିଲା ଯିଏ ଆଖିରେ ଅସୁମାରି ସ୍ୱପ୍ନ ନେଇ ଓଡ଼ିଶା ଆସିଥିଲା । ସେ ଜାଣିନଥିଲା ଯେ ଜୀବନ ତାକୁ କେଉଁଠାକୁ ନେଇଯିବ। ସେ କେବଳ ଏତିକି ଜାଣିଥିଲା ​​ଯେ ସେ ସ୍ୱପ୍ନ ଦେଖିବାକୁ, ଅଭିନୟ କରିବାକୁ ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଥିଲା । ଆଉ ତା’ପରେ, ଓଡ଼ିଶା ତାକୁ ଆପଣେଇ ନେଲା ।”
ସେ ଆହୁରି ଲେଖିଛନ୍ତି, ”ଓଡ଼ିଶା ମୋତେ କେବଳ ଏକ ସୁଯୋଗ ଦେଇନଥିଲା, ବରଂ ମୋ ସ୍ୱପ୍ନକୁ ବଞ୍ଚିବାର ଏକ ସ୍ଥାନ ଦେଇଥିଲା । ଯେତେବେଳେ ମୁଁ ନିଜର ରାସ୍ତା ଖୋଜୁଥିଲି, ସେତେବେଳେ ଏଠାକାର ଲୋକମାନେ ମୋତେ ଭଲପାଇବା ଦେଲେ; ଯେତେବେଳେ ମୁଁ ନିଜ ପରିଚୟ ଖୋଜୁଥିଲି, ସେତେବେଳେ ସେମାନେ ମୋତେ ଗ୍ରହଣ କଲେ ଏବଂ ଆଜି ମୁଁ ଯେଉଁ ମହିଳା ଭାବେ ଗଢ଼ି ହୋଇଛି, ସେଥିପାଇଁ ଆବଶ୍ୟକ ସାହସ ମଧ୍ୟ ଯୋଗାଇଲେ । ଆଉ ତା’ପରେ ଭାଗ୍ୟ ମୋତେ ଏମିତି ଏକ ମୁହୂର୍ତ୍ତ ଦେଲା ଯାହାକୁ ମୁଁ ସବୁଦିନ ପାଇଁ ମନେ ରଖିବି । ଓଡ଼ିଶାର ଜଣେ ଗର୍ବିତ ଝିଅ (ଭାରତର ରାଷ୍ଟ୍ରପତି) ଓଡ଼ିଶାର ଜଣେ ଗର୍ବିତ ବୋହୂଙ୍କ ହାତରେ ଏହି ଜାତୀୟ ପୁରସ୍କାର ଅର୍ପଣ କଲେ । ସେହି ମୁହୂର୍ତ୍ତରେ ମୁଁ ହାତରେ ଏକ ପୁରସ୍କାର ଧରିଥିଲି ସତ, କିନ୍ତୁ ମୋ ହୃଦୟରେ ଧରିଥିଲି ଏକ ସମ୍ପୂର୍ଣ୍ଣ ଯାତ୍ରାର ଅନୁଭୂତି ।”
ସେ ଏହା ମଧ୍ୟ ଲେଖିଛନ୍ତି, ”ଏହି ସମ୍ମାନ କେବଳ ମୋର ନୁହେଁ । ମୋର ସମଗ୍ର ‘ଲହରୀ’ ପରିବାର – ପ୍ରତ୍ୟେକ କଳାକାର ଓ ବୈଷୟିକ କର୍ମୀ (ଟେକ୍ନିସିଆନ୍) ଯେଉଁମାନେ ନିରଳସ ଭାବେ କାର୍ଯ୍ୟ କରିଛନ୍ତି ଏବଂ ଏହି ଚଳଚ୍ଚିତ୍ର ପାଇଁ ନିଜର ସର୍ବସ୍ୱ ଦେଇଛନ୍ତି – ଏହି ବିଜୟ ଆପଣମାନଙ୍କର । ମୋର ପ୍ରିୟ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ, ‘ଲହରୀ’ ଥିଲା ଏକ ସ୍ୱପ୍ନ ଯାହାକୁ ଆମେ ମିଳିତ ଭାବେ ସାକାର କରିଥିଲୁ: ଆପଣ ଏହାର ନିର୍ଦ୍ଦେଶକ ଏବଂ ମୁଁ ଏହାର ପ୍ରଯୋଜିକା ଭାବେ । ଆଜି, ସେହି ସମାନ ଜାତୀୟ ପୁରସ୍କାରକୁ ହାତରେ ଧରି ଆମେ ଜାଣୁ ଯେ ଆମର ମିଳିତ ସ୍ୱପ୍ନ ଇତିହାସରେ ନିଜର ସ୍ଥାନ ସୃଷ୍ଟି କରିପାରିଛି । ଅଭିନନ୍ଦନ, ମୋର ବନ୍ଧୁ । ଏହି ଯାତ୍ରା ସର୍ବଦା ମୋ ହୃଦୟର ନିକଟତର ହୋଇ ରହିବ ।”

ମୁଁ ଅନେକ ଆଶା ନେଇ ଓଡ଼ିଶା ଆସିଥିଲି । ଓଡ଼ିଶା ସେହି ଆଶାଗୁଡ଼ିକୁ ଏକ ପରିଚୟ, ଏକ ଲକ୍ଷ୍ୟ ଏବଂ ଏକ ଜୀବନ ପ୍ରଦାନ କଲା । ଏହି ପୁରସ୍କାରରେ ହୁଏତ ମୋର ନାମ ରହିଛି, କିନ୍ତୁ ଏହାକୁ ଗ୍ରହଣ କରୁଥିବା ମହିଳାଜଣକ ଓଡ଼ିଶା ଦ୍ୱାରା ହିଁ ଗଢ଼ି ଉଠିଛନ୍ତି । ଜୟ ଜଗନ୍ନାଥ ।”

ସେ ଆଉ ଏକ ନୋଟରେ ଲେଖିଛନ୍ତି, କିଛି ମୁହୂର୍ତ୍ତ ଶବ୍ଦର ବାହାରେ ଥାଏ… ସେଗୁଡ଼ିକ ହେଉଛି ଏପରି ଭାବନା ଯାହା ସବୁଦିନ ପାଇଁ ହୃଦୟରେ ରହିଯାଏ । ଓଡ଼ିଶାର ଗର୍ବିତ ଝିଅ, ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଜାତୀୟ ପୁରସ୍କାର ଗ୍ରହଣ କରିବା ମୋ ଜୀବନର ଅନ୍ୟତମ ଭାବପୂର୍ଣ୍ଣ ଓ ଅବିସ୍ମରଣୀୟ ମୁହୂର୍ତ୍ତ ଥିଲା । ଓଡ଼ିଶାର ଜଣେ ଗର୍ବିତ ବୋହୂ ଭାବରେ ସେଠାରେ ଛିଡ଼ା ହୋଇ, ହାତରେ ଜାତୀୟ ପୁରସ୍କାର ଧରି ମୁଁ ଏକ ଅନିର୍ବଚନୀୟ ଆପଣାର ଭାବନା ଓ କୃତଜ୍ଞତା ଅନୁଭବ କଲି ।ଓଡ଼ିଶାର ଜଣେ ଗର୍ବିତ ଝିଅ, ଓଡ଼ିଶାର ଜଣେ ଗର୍ବିତ ବୋହୂଙ୍କୁ ସମ୍ମାନିତ କରୁଛନ୍ତି । ଦୁଇଟି ଯାତ୍ରା, ଦୁଇଟି ପରିଚୟ, କିନ୍ତୁ ଓଡ଼ିଶା ପ୍ରତି ଆମର ଭଲପାଇବା ଓ ଗର୍ବର ଏକ ସୁନ୍ଦର ବନ୍ଧନ । କିଛି ମୁହୂର୍ତ୍ତକୁ ବର୍ଣ୍ଣନା କରାଯାଇପାରେ ନାହିଁ। ସେଗୁଡ଼ିକୁ କେବଳ ଅନୁଭବ କରାଯାଇପାରେ, ସାଇତି ରଖାଯାଇପାରେ ଏବଂ ସବୁଦିନ ପାଇଁ ହୃଦୟରେ ଧାରଣ କରାଯାଇପାରେ । ଓଡ଼ିଶାର ଜଣେ ଗର୍ବିତ ଝିଅ । ଓଡ଼ିଶାର ଜଣେ ଗର୍ବିତ ବୋହୂ। ଗର୍ବର ଏକ ଅବିସ୍ମରଣୀୟ ମୁହୂର୍ତ୍ତ ।”

‘ଲହରୀ’ ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମଟି କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିବା ପରେ ପରଦାରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ଏବେ ଜାତୀୟ ପୁରସ୍କାର ଗ୍ରହଣ କରିଛି । ଏହାକୁ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା କରିଛନ୍ତି । ସାମାଜିକ ଜୀବନର ମୂଳ ତତ୍ତ୍ୱ ସହ ନିଜକୁ ଯୋଡି ରଖିବା ଓ ବାପ ପୁଅର ସମ୍ପର୍କ ଉପରେ ଆଧାରିତ ଏହାର କାହାଣୀ । ଏଥିସହ ବିକାଶ ରାସ୍ତାରେ ବୟସ କେବେ ବାଧା ସାଜିପାରେନି ଏହି ବାର୍ତ୍ତା ନେଇ ଇକୋ ଟୁରିଜିମ ଦ୍ୱାରା ଗାଁର ଲୋକମାନେ କିଭଳି ବିକାଶ କରୁଛନ୍ତି ତାହା ମଧ୍ୟ ଚଳଚିତ୍ରରେ ଦର୍ଶାଯାଇଛି । ଏଥିରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ସ୍ମୃତି ମହଲା, ଦୀପାନ୍ୱିତ ଦାସ ମହାପାତ୍ର, ସୁଶାନ୍ତ ମିଶ୍ର, ହର ରଥ, ପ୍ରସେନଜିତ, ସ୍ୱସ୍ତିକ ଚୌଧୁରୀ, ଜେଇନଵ ଡୋଇୟର ପ୍ରମୁଖ ଅଭିନୟ କରିଛନ୍ତି ।