ଭୁବନେଶ୍ବର: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପ୍ରଶାସନିକ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ବନ ସେବା (IFS) ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସେ ଓଡ଼ିଶା ଫରେଷ୍ଟ ଡେଭେଲପମେଣ୍ଟ କର୍ପୋରେସନ୍ (OFDC)ର ବାଣିଜ୍ୟ ନିର୍ଦ୍ଦେଶକ (ଡାଇରେକ୍ଟର–କମର୍ସିଆଲ୍) ଭାବେ କାର୍ଯ୍ୟରତ ଥିଲେ ।
ସଂଗ୍ରାମ କେଶରୀ ବେହେରା ୨୦୨୧ ମସିହାରେ ଗଜପତି ଜିଲ୍ଲାର ଡିଭିଜନାଲ ଫରେଷ୍ଟ ଅଫିସର (DFO) ଭାବେ କାର୍ଯ୍ୟରତ ଥିବା ସମୟରେ ପାରଳାଖେମୁଣ୍ଡି ବନଖଣ୍ଡର ତତ୍କାଳୀନ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ହୋଇଥିଲେ । ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଏବଂ ଏହାର ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ।
ସଦ୍ୟ ଏହି ମାମଲାରେ ସଂଗ୍ରାମ କେଶରୀ ବେହେରାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି । ଏହାପରେ ରାଜ୍ୟ ସରକାର ପକ୍ଷରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସସପେନ୍ସନ ଆଦେଶ ଜାରି କରାଯାଇଛି । ସରକାରଙ୍କ ମତରେ, ଜଣେ ସରକାରୀ ଅଧିକାରୀ ନ୍ୟାୟିକ ହେପାଜତରେ ଥିବା ପରିସ୍ଥିତିରେ ସେବା ନିୟମାବଳୀ ଅନୁଯାୟୀ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦୀର୍ଘଦିନ ଧରି ରାଜ୍ୟର ବହୁଚର୍ଚ୍ଚିତ ମାମଲା ମଧ୍ୟରୁ ଗୋଟିଏ ହୋଇରହିଛି। ଏହି ଘଟଣାରେ ନ୍ୟାୟ ପାଇଁ ପରିବାର ଓ ବିଭିନ୍ନ ମହଲରୁ ଦାବି ଉଠିଆସୁଥିଲା । ବର୍ତ୍ତମାନ ସଂଗ୍ରାମ କେଶରୀ ବେହେରାଙ୍କ ନିଲମ୍ବନ ପରେ ମାମଲାର ଆଇନଗତ ପ୍ରକ୍ରିୟା ଆହୁରି ଗୁରୁତ୍ୱ ପାଇଛି । ତଦନ୍ତ ଓ ନ୍ୟାୟିକ ପ୍ରକ୍ରିୟା ଆଧାରରେ ପରବର୍ତ୍ତୀ ସମୟରେ ଏହି ମାମଲାରେ ଆହୁରି ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି ।
ଏହି ମାମଲାଟି ୨୦୨୧ ମସିହାରେ ଘଟିଥିଲା । ୨୦୨୦ ବ୍ୟାଚ୍ର ଓଡ଼ିଶା ବନ ସେବା ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ର ପାରଳାଖେମୁଣ୍ଡିସ୍ଥିତ ତାଙ୍କ ସରକାରୀ ବାସଭବନରେ ରହସ୍ୟମୟ ପରିସ୍ଥିତିରେ 80% ପୋଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବ୍ରହ୍ମପୁର ଏବଂ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପରେ ସେ ମୃତ୍ୟୁବରଣ କରିଥିଲେ । ସେତେବେଳେ ପାରଳାଖେମୁଣ୍ଡିର DFO ଭାବେ କାର୍ଯ୍ୟରତ ଥିବା ସଂଗ୍ରାମ କେଶରୀ ବେହେରା, ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାମରେ ବିଭିନ୍ନ ଅଭିଯୋଗ ଆସିଥିଲା। ମାମଲାଟି ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା।
