ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ବୃଦ୍ଧି ପାଇଛି ଦେଶରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ବା ପିଏ କିଷାନ ଯୋଜନାର ଅବଧି। ଏହି ଯୋଜନାର ଅବଧିକୁ ୨୦୨୬-୨୭ରୁ ୨୦୩୦-୩୧ ଯାଏ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି।
ଏଥିପାଇଁ ୩.୧୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀଙ୍କୁ ଡିବିଟି ମାଧ୍ୟମରେ ସରକାର ସିଧାସଳଖ ଆକ ସହାୟତା ପ୍ରଦାନ କରିବା ଜାରି ରଖିବେ।
୨୦୧୯ରେ କେନ୍ଦ୍ର ସରକାର ପିଏ କିଷାନ ଯୋଜନା ଲଞ୍ଚ କରିଥିଲେ। ଏହି ଯୋଜନା ଅନୁସାରେ ଯୋଗ୍ୟ ଚାଷୀଙ୍କୁ ୩ଟି କିସ୍ତିରେ ମୋଟ ୬ ହଜାର ଟଙ୍କା ଲେଖାଏ ମିଳୁଛି। ଆର୍ଥିକ ସହାୟତା ସିଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଉଛନ୍ତି କେନ୍ଦ୍ର ସରକାର।
ପିଏମ କିଷାନ ଯୋଜନା ଆଧାର ଭିତ୍ତିକ, ଡିଜିଟାଲ୍ ଯାଞ୍ଚ ଓ ସିଧାସଳଖ ଲାଭ ହସ୍ତାନ୍ତର ବ୍ୟବସ୍ଥା ମାଧ୍ୟମରେ କୃଷକ କଲ୍ୟାଣର ଏକ ସ୍ୱଚ୍ଛ ମଡେଲ୍ ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି।
ଯୋଜନା ଆରମ୍ଭ ହେବା ପର ଠାରୁ କେନ୍ଦ୍ର ସରକାର ୨୩ଟି କିସ୍ତିରେ ଦେଶର ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୪.୪୭ ଲକ୍ଷ କୋଟିରୁ ଅଧିକ ଟଙ୍କା ପଠାଇଛନ୍ତି। ୨୩ତମ କିସ୍ତିରେ ୯.୪୯ କୋଟିରୁ ଅଧିକ କୃଷକଙ୍କୁ ୧୮,୯୮୪ କୋଟି ଟଙ୍କାର ଆର୍ଥିକ ସହାୟତା ମିଳିଛି।
କୋଭିଡ୍-୧୯ ମହାମାରୀ ସମୟରେ କୃଷକମାନଙ୍କୁ ସହାୟତା ପାଇଁ ଏହି ଯୋଜନା ଅଧୀନରେ ୧.୭୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଦିଆଯାଇଥିଲା। ମହିଳା ହିତାଧିକାରୀମାନେ ଏହି ଯୋଜନାରେ ୧.୦୬ ଲକ୍ଷ କୋଟିରୁ ଅଧିକ ଟଙ୍କା ସହାୟତା ପାଇଥିବାବେଳେ ପ୍ରତି ୪ ହିତାଧିକାରୀଙ୍କ ମଧ୍ୟରୁ ଜଣେ ମହିଳା ଚାଷୀ ବୋଲି ସରକାର କହିଛନ୍ତି।
ସରକାରଙ୍କ କହିବା କଥା ଯେ ପିଏମ କିଷାନ ଅଧୀନରେ ମିଳୁଥିବା ଆର୍ଥିକ ସହାୟତା କୃଷକମାନଙ୍କୁ ବିହନ, ସାର, ଜଳସେଚନ, କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ କୃଷି ଉପକରଣରେ ବିନିଯୋଗ କରିବାରେ ସହାୟକ ହୋଇଛି। ଏହା ସହିତ ଅନୌପଚାରିକ ଋଣ ଉତ୍ସ ଉପରେ ନିର୍ଭରଶୀଳତା କମାଇ ଗ୍ରାମାଞ୍ଚଳର ପରିବାରମାନଙ୍କ ଆର୍ଥିକ ସ୍ଥିରତାକୁ ମଧ୍ୟ ସୁଦୃଢ଼ କରିଛି।
ସରକାର ନୀତି ଆୟୋଗର ଡେଭେଲପମେଣ୍ଟ ମନିଟରିଂ ଆଣ୍ଡ ଇଭାଲୁଏସନ୍ ଅଫିସ୍ ଦ୍ୱାରା କରାଯାଇଥିବା ଏକ ସର୍ଭେର ଉଲ୍ଲେଖ କରି ସରକାର କହିଛନ୍ତି ଯେ ୯୨ ପ୍ରତିଶତରୁ ଅଧିକ ହିତାଧିକାରୀ ଏହି ସହାୟତାକୁ କୃଷି କାର୍ଯ୍ୟ ଓ ଚାଷରେ ବିନିଯୋଗ ପାଇଁ ବ୍ୟବହାର କରିଛନ୍ତି। ପ୍ରାୟ ୮୫ ପ୍ରତିଶତ କୃଷକ କହିଛନ୍ତି ଯେ ସେମାନଙ୍କ କୃଷି ଆୟ ବଢ଼ିଛି ଓ ଅନୌପଚାରିକ ଋଣ ଉପରେ ନିର୍ଭରତା କମିଛି।
ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୨୦-୨୧ରୁ ୨୦୨୫-୨୬ ମଧ୍ୟରେ ଚାଷ ଜମିର ପରିମାଣ ପ୍ରାୟ ୯.୬୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ କୃଷି ଉତ୍ପାଦନ କ୍ଷମତା ପ୍ରାୟ ୧୦.୫୩ ପ୍ରତିଶତ ବଢ଼ିଛି। ସେହିପରି ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ ୨୧.୧୮ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି।
