ଭୁବନେଶ୍ୱର : ଶ୍ରାବଣର ପ୍ରଥମ ସୋମବାରରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଏବେ ସ୍ୱାଭାବିକ ହୋଇଛି । ଶ୍ରାବଣ ପାଉଣା ବଣ୍ଟାକୁ କେନ୍ଦ୍ର କରି ବ୍ରାହ୍ମଣ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଗତକାଲି ସନ୍ଧ୍ୟାରୁ ନୀତିକାନ୍ତି ବନ୍ଦ ରହିଥିଲା । ଫଳରେ ପୂଜା ନ କରି ଶ୍ରଦ୍ଧାଳୁମାନଙ୍କୁ କେବଳ ଜଳଲାଗି କରି ଫେରିବାକୁ ପଡ଼ିଥିଲା । ତେବେ ପ୍ରଶାସନର ହସ୍ତକ୍ଷେପ ପରେ ଏବେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି । ହଜାର ହଜାର ଶ୍ରଦ୍ଧାଳୁ ବାବା ଲିଙ୍ଗରାଜଙ୍କ ଦର୍ଶନ ଓ ଜଳଲାଗି ପାଇଁ ମନ୍ଦିରରେ ପହଞ୍ଚିଥିଲେ କିନ୍ତୁ ଶ୍ରାବଣ ପାଉଣା ବଣ୍ଟାକୁ ନେଇ ବ୍ରାହ୍ମଣ ଓ ବଡୁ ସେବାୟତଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଯୋଗୁଁ ଗତକାଲି ସନ୍ଧ୍ୟାରୁ ମନ୍ଦିରର ନୀତିକାନ୍ତି ଠପ୍ ହୋଇଯାଇଥିଲା । ଏହାର ସିଧାସଳଖ ପ୍ରଭାବ ପଡ଼ିଥିଲା ଶ୍ରଦ୍ଧାଳୁଙ୍କ ଉପରେ। ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ବାବାଙ୍କ ପୂଜା କରିପାରିନଥିଲେ ।

କେବଳ ଜଳଲାଗି କରି ନିରାଶ ମନରେ ଫେରିବାକୁ ପଡ଼ିଥିଲା । ଶ୍ରାବଣର ସୋମବାର ଭଳି ପବିତ୍ର ଦିନରେ ଏଭଳି ପରିସ୍ଥିତିକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ପ୍ରଶାସନ ଓ ମନ୍ଦିର କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ପରିସ୍ଥିତିରେ ସୁଧାର ଆସିଛି । ଏଡିଏମଙ୍କ ସୂଚନା ଅନୁସାରେ, ସେବାୟତଙ୍କ ସହ ଆଲୋଚନା ପରେ ନୀତିକାନ୍ତି ପୁଣି ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି। ବର୍ତ୍ତମାନ ବାବା ଲିଙ୍ଗରାଜଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସୁରୁଖୁରୁରେ ଚାଲିଥିବା ଜଣାପଡ଼ିଛି । ସେପଟେ ଶ୍ରାବଣ ସୋମବାର ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ମଧ୍ୟ ଅପାର ଭକ୍ତସମାଗମ ଦେଖିବାକୁ ମିଳିଛି । ମହାଦେବଙ୍କ ଜଳାଭିଷେକ ଓ ପୂଜା ପାଇଁ ଭୋରୁ ଭୋରୁ ଲମ୍ବା ଧାଡ଼ିରେ ଅପେକ୍ଷା କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଭକ୍ତିମୟ ପରିବେଶ ମଧ୍ୟରେ ସବୁ ଶୈବପୀଠରେ ଶ୍ରାବଣ ସୋମବାର ପାଳନ କରାଯାଉଛି । ଶ୍ରାବଣର ପ୍ରଥମ ସୋମବାରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ହୋଇଥିଲେ ମଧ୍ୟ, ସେବାୟତଙ୍କ ମଧ୍ୟରେ ପାଉଣା ବିବାଦକୁ ସ୍ଥାୟୀ ସମାଧାନ କରିବା ଏବେ ମନ୍ଦିର ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।