ଆଜି ସରୁଛି ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ। ଆଜିଠାରୁ ରାଜ୍ୟ ପୋଲିସର ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ତୁଲାଇବେ ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆଜି ଅନ୍ତରୀଣ ଡିଜିପି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ୧୯୯୩ ବ୍ୟାଚର ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ରାଜ୍ୟ ସରକାର ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଦେଇଛନ୍ତି। ନୂଆ ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ମଧ୍ୟବର୍ତ୍ତୀ ସମୟ ପାଇଁ ଏହି ଦାୟିତ୍ୱ ତାଙ୍କୁ ଦିଆଯାଇଛି। ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ କାମଚଳା ଡିଜିପିଙ୍କ ନେତୃତ୍ୱରେ ରାଜ୍ୟର ପୋଲିସ ପ୍ରଶାସନ ଚାଲିବ। ଦାୟିତ୍ୱ ମିଳିବା ପରେ ବିନୟତୋଷ ମିଶ୍ର କହିଛନ୍ତି, ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ରାଜ୍ୟର ଆଇନଶୃଙ୍ଖଳା ନିୟନ୍ତ୍ରଣ ତାଙ୍କର ପ୍ରାଥମିକତା ରହିବ।

ପୋଲିସ ବାହିନୀ ସହ ସମନ୍ୱୟ ରଖି ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ତାଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି। ଅନ୍ତରୀଣ ଡିଜିପି ଭାବେ ମିଳିଥିବା ଦାୟିତ୍ୱକୁ ସଠିକ୍ ଭାବେ ନିର୍ବାହ କରିବା ପାଇଁ ସମସ୍ତ ପ୍ରୟାସ କରିବେ ବୋଲି ବିନୟତୋଷ ମିଶ୍ର କହିଛନ୍ତି।