ବଲାଙ୍ଗୀର: ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର କୁମାର ସାହୁଙ୍କୁ ଅପହରଣର ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର କଲା ପୋଲିସ । ମାଷ୍ଟର ମାଇଣ୍ଡ ଗିରଫ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ତନାଘନା ଜାରି । ଅପହରଣର କାରଣ ଏବେବି ଅସ୍ପଷ୍ଟ । ବ୍ୟବସାୟୀ ନରେନ୍ଦ୍ର କୁମାର ସାହୁଙ୍କୁ ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି । କଣ୍ଟାମାଳରୁ ମାଷ୍ଟର ମାଇଣ୍ଡକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ଅଭିଯୋଗ ଅନୁସାରେ, ବ୍ୟବସାୟୀ ନରେନ୍ଦ୍ର କୁମାର ସାହୁ ଶୁକ୍ରବାର ଠାରୁ ନିଖୋଜ ଥିଲେ । ପରିବାର ଲୋକ ଖୋଜି ନ ପାଇବା ପରେ ବଲାଙ୍ଗୀର ପୋଲିସ ପାଖରେ ଅଭିଯୋଗ କରିଥିଲେ । ଯାହାପରେ ପୋଲିସ ଆଇଟି ସେଲ୍, ମୋବାଇଲ ଲୋକେସନ୍ ଓ ସିସିଟିଭି ଫୁଟେଜ ଇତ୍ୟାଦିରୁ ତାଙ୍କୁ ଅପହରଣ କରାଯାଇଥିବା ଜାଣି ପାରିଥିଲା । ସିସିଟିଭିରୁ ବ୍ୟବସାୟୀଙ୍କ ଗାଡ଼ି ଓ ଅଭିଯୁକ୍ତ ଗାଡ଼ିକୁ ପୋଲିସ୍ ଟ୍ରାକ କରିଥିଲା । ଗତକାଲି ବ୍ୟବସାୟୀଙ୍କୁ ପୋଲିସ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ଉଦ୍ଧାର କରିବାରେ ସଫଳ ହୋଇଛି । ତେବେ ବ୍ୟବସାୟୀଙ୍କୁ ମାଡ଼ ମରା ଯାଇଥିବା ଓ ନିର୍ଯାତନା ଦିଆଯାଇଥିବାର ଜଣାପଡ଼ିଛି ।

ଅପହରଣର କାରଣ ଏଯାଏଁ ସ୍ପଷ୍ଟ ହୋଇ ନ ଥିବା ବେଳେ ବ୍ୟବସାୟିକ ଶତ୍ରୁତା କାରଣ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବ୍ୟବସାୟୀଙ୍କ ଭାଇ ମନୋରଞ୍ଜନ ସାହୁ କହିଛନ୍ତି, “ମୋ ଭାଇ ଶୁକ୍ରବାର ଘରୁ ଖାଇ ବାହାରି ଥିଲେ । ପରେ ସେ ଆଉ ଘରକୁ ଫେରି ନ ଥିଲେ । ଯାହାପରେ ଆମେ ରାତି 8ଟାରେ ତାଙ୍କର ଅପହରଣ ହୋଇଥିବାର ଜାଣି ପାରିଥିଲୁ । ଯଦିଓ ସେମାନେ ଆମକୁ ଯୋଗାଯୋଗ କରି ନ ଥିଲେ କିମ୍ବା କୌଣସି ଟଙ୍କା ପଇସା ମାଗି ନଥିଲେ । ତେବେ କାହିଁକି ସେମାନେ ଅପହରଣ କଲେ ଆମେ ଜାଣିନାହୁଁ ।”
ସେପଟେ ବଲାଙ୍ଗୀର ଏସପି ଅଭିଳାଷ ଜି କହିଛନ୍ତି, “ଗତ ଶୁକ୍ରବାର ସନ୍ଧ୍ୟାରେ ବ୍ୟବସାୟୀଙ୍କୁ ଅପହରଣ ହୋଇଥିବାର ଅଭିଯୋଗ ଆସିଥିଲା । ଆମେ ତୁରନ୍ତ ଏକ ସ୍ୱତନ୍ତ୍ର ଟିମ୍ କରି ତଦନ୍ତ ଆରମ୍ଭ କରିଥିଲୁ । ଆମେ ବ୍ୟବସାୟୀଙ୍କୁ ଭୁବନେଶ୍ୱରରୁ ଉଦ୍ଧାର କରିଛୁ । ମାଷ୍ଟର ମାଇଣ୍ଡକୁ କଣ୍ଟାମାଳରୁ ଗିରଫ କରିଛୁ । ସେହିପରି ଅନ୍ୟମାନଙ୍କୁ ମଧ୍ୟ ଆମେ ଶୀଘ୍ର ଧରିବୁ । ଏହାର କାରଣ ଏଯାଏଁ ସ୍ପଷ୍ଟ ନ ଥିବା ବେଳେ ବ୍ୟବସାୟିକ ଶତ୍ରୁତା ଥିବାର ଆମେ ଜାଣିବାକୁ ପାଇଛୁ ।”