କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଛି । ଉଦ୍ଧାର ଏବେ ବି କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ମୃତକମାନେ ସମସ୍ତେ ପୂଜା କରିବା ଏବଂ ରାତ୍ରୀଯାପନ କରିବା ପାଇଁ ତାରାପୀଠର ଏହି ଘରୋଇ ହୋଟେଲରେ ରହିଥିଲେ ।
ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୋର ସମୟରେ ହୋଟେଲ ରିସେପ୍ସନରେ ଅଗ୍ନିକାଣ୍ଡ ଘଟିଥିଲା । କେହି ତୁରନ୍ତ ଏହା ଜାଣିପାରି ନଥିବାରୁ, ଅତିଥିମାନେ ଶୋଇଥିବା ସମୟରେ ନିଆଁ ହୋଟେଲର ବିଭିନ୍ନ ଅଂଶକୁ ବ୍ୟାପି ଯାଇଥିଲା । ସେମାନେ କିଛି ବୁଝିବା ପୂର୍ବରୁ ନିଆଁ ବ୍ୟାପି ଯାଇଥିଲା । ଫଳସ୍ୱରୂପ, ଅନେକ ଲୋକ କୋଠରୀ ଭିତରେ ଫସି ରହିଥିଲେ ।ଏହି ଘଟଣା ପରେ, ଏହି ହୋଟେଲର ଆଖପାଖରେ ଥିବା ବିଭିନ୍ନ ହୋଟେଲର ଲୋକମାନେ ନିଆଁ ଲିଭାଇବାରେ ସାହାଯ୍ୟ କରିବାକୁ ଆସିଥିଲେ, ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ଗାଡ଼ି ଶୀଘ୍ର ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଛି । ନିଆଁରେ ପୋଡ଼ି ଯାଇଥିବା ଯାତ୍ରୀମାନଙ୍କ ମୃତଦେହ ଓ ଆହତଙ୍କୁ ରାମପୁରହାଟ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଛି ।ଅଗ୍ନିଶମ ବିଭାଗ ସୂତ୍ରରୁ ଜଣାପଡିଛି ଯେ, ତୀର୍ଥଯାତ୍ରୀମାନେ ଶୋଇଥିବାରୁ ନିଆଁ ଲାଗିବା ବିଷୟରେ ଜାଣି ନଥିଲେ । ଆବଦ୍ଧ କୋଠରୀରେ ଧୂଆଁ ହେବାରୁ ଅନେକ ଅସୁସ୍ଥ ହୋଇ ପଡ଼ିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଛଅ ଜଣ ପ୍ରାଣ ହରାଇଛନ୍ତି ।ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ଘଟିଛି । ରାମପୁରହାଟରୁ ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି । ଅସୁସ୍ଥ ବ୍ୟକ୍ତିମାନଙ୍କୁ ରାମପୁରହାଟ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଛି । ପୋଲିସ ଏବଂ ପ୍ରଶାସନ ମୃତକଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଛନ୍ତି ।
