ପୁରୀ: ଆଜିଠୁ ଦୁଇ ଦିନ  ଧରି ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ଅଳଙ୍କାର  ଗଣତିମଣତି । ରାଜ୍ୟ ସରକାରଙ୍କ ଦ୍ୱାରା  ଅନୁମୋଦିତ ବ୍ୟବସ୍ଥାବଳୀ (ଏସ୍‌ଓପି) କୁ ଏହି ସମୟରେ ପାଳନ କରାଯିବ ।  ଗଣତିମଣତି ସମୟରେ କୌଣସି  ପରିସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତି  ପ୍ରଭାବିତ ନହେବାକୁ ବିଶେଷ ଗୁରୁତ୍ୱ  ଦିଆଯିବ । ରତ୍ନଭଣ୍ଡାର ଗଣତିମଣତି  ନିମନ୍ତେ ଶ୍ରଦ୍ଧାଳୁଙ୍କ ଦର୍ଶନ ସମୟ ସ୍ୱଳ୍ପ  ହୋଇପାରେ । ଏହି ସମୟରେ ଶ୍ରଦ୍ଧାଳୁଙ୍କୁ  କେବଳ ବାହାର କାଠ ଠାରୁ ଦର୍ଶନ ସୁବିଧା  ମିଳିବ । ତେଣୁ ପୂର୍ବବତ୍‌ ଏହି କାର୍ଯ୍ୟରେ  ସମସ୍ତ ସେବକ ଓ ଶ୍ରଦ୍ଧାଳୁ ଭକ୍ତଙ୍କର  ସହଯୋଗ ଓ ସହାୟତା କାମନା କରିଛି  ଶ୍ରୀମନ୍ଦିର ପ୍ରଶାସନ ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଅନ୍ତର୍ଗତ  ଚଳନ୍ତି ଭଣ୍ଡାର ଗଣତି ସରିଥିବା ବେଳେ  ବାହାର ଭଣ୍ଡାର ଗଣତିମଣତି ପ୍ରାୟ  ଶେଷ । ପରେ ଭିତର ରତ୍ନଭଣ୍ଡାରରେ  ଥିବା ରତ୍ନ ଅଳଙ୍କାର ଆଦିର ଗଣତିମଣତି  କରାଯାଉଛି । ରତ୍ନଭଣ୍ଡାର ଉଚ୍ଚସ୍ତରୀୟ  ତଦାରଖ ଦଳଙ୍କ ତତ୍ତ୍ୱାବଧାନରେ  ଗଣତିମଣତିରେ ଆର୍‌ବିଆଇର ବିଶେଷଜ୍ଞ,  ଜେମୋଲୋଜିଷ୍ଟ, ଫଟୋଗ୍ରାଫର ପ୍ରମୁଖ  ନିୟୋଜିତ ହେବେ । ଗଣତି ପ୍ରକ୍ରିୟା  ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟର ଭିଡିଓଗ୍ରାଫି,  ଫଟୋଗ୍ରାଫି ଓ ୩ଡି ମ୍ୟାପିଂ କରାଯିବ । ସମସ୍ତ ରତ୍ନଅଳଙ୍କାରକୁ ଦୁଇ ତିନି ପରସ୍ତ ଘୋଡ଼ାଇ ସିନ୍ଦୁକ ଭିତରେ ସୁରକ୍ଷିତ  ରଖାଯିବ ।

୧୯୭୮ ମସିହା ଗଣତିମଣତିରେ  ଜେମୋଲୋଜିଷ୍ଟ ନିୟୋଜିତ  ହୋଇନଥିଲେ । ତେଣୁ ଜେମୋଲୋଜିଷ୍ଟଙ୍କୁ  ଏହି ଗଣତିମଣତିରେ ସାମିଲ କରାଯାଇଛି ।  ଶ୍ରୀମନ୍ଦିର ଓ ବ୍ୟାଙ୍କର ବଣିଆ ସମେତ  ଜେମୋଲୋଜିଷ୍ଟମାନେ ଅଳଙ୍କାର ସମ୍ପୂର୍ଣ୍ଣ  ପରିଚୟ ନିର୍ଦ୍ଧାରଣ କରିବେ । ସେମାନେ  ତାଙ୍କ ଅଭିଜ୍ଞତା ଓ କୁଶଳତାକୁ ବ୍ୟବହାର  କରିବେ । ଆସନ୍ତା ୧୦୦ ବର୍ଷ ପର୍ଯ୍ୟନ୍ତ  ଏହା ଯେପରି ରତ୍ନଭଣ୍ଡାର ଭିତରେ  ସୁରକ୍ଷିତ ରହିବ ସେ ଉଦ୍ଦେଶ୍ୟରେ  ଏସ୍‌ଓପି ଅନୁଯାୟୀ ପଦକ୍ଷେପ ନିଆଯାଉଛି  ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।