ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଏସ୍ଆଇଆର ପ୍ରକ୍ରିୟା ରଦ୍ଦ ଦାବିରେ ବିରୋଧୀଙ୍କ ପକ୍ଷରୁ ଚାଲିଥିବା ପ୍ରତିବାଦ ଓ ଆନ୍ଦୋଳନ ଉପରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ମଙ୍ଗଳବାର ଶାହା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ଦଳଗୁଡିକୁ ୨୦୨୯ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ସେ କହିଛନ୍ତି ଯେ ଦେଶର ଜନସାଧାରଣ ବିଜେପି, ଏନଡିଏ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅଛନ୍ତି। ତେଣୁ ବିରୋଧୀଙ୍କ ନକରାତ୍ମକ ରାଜନୀତି କୌଣସି ପ୍ରଭାବ ପକାଇବ ନାହିଁ। ସେ କହିଛନ୍ତି ଯେ କଂଗ୍ରେସ ଯେଉଁଭଳି ନକାରାତ୍ମକ ରାଜନୀତି କରୁଛି ତାହା ଦଳକୁ କୌଣସି ଫାଇଦା ଦେବ ନାହିଁ। ନିକଟରେ ଅନୁଷ୍ଠିତ କେତେକ ରାଜ୍ୟର ଉପ-ନିର୍ବାଚନ ଓ ପୌର ନିର୍ବାଚନରେ ବିରୋଧୀ ଦଳଗୁଡିକ ନିରାଶାଜନକ ପ୍ରଦର୍ଶନ କରିଛି। ରାହୁଲଙ୍କ ଉଦ୍ଦେଶ୍ୟରେ ଶାହା କହିଛନ୍ତି ‘ଆପଣ କଂଗ୍ରେସର ପ୍ରମୁଖ ନେତା, ପରେ ଏହାର ସଭାପତି ଓ ଏବେ ବିରୋଧୀ ଦଳ ନେତା ହେବା ପରଠାରୁ କଂଗ୍ରେସ ଦଳ କ୍ରମାଗତ ନିର୍ବାଚନ ହାରିଚାଲିଛି। ତେଣୁ ଆପଣ ଆତ୍ମସମୀକ୍ଷା କରିବା ଦରକାର।’ ରାହୁଲଙ୍କ ନେତୃତ୍ବରେ କଂଗ୍ରେସ ଦଳ ଯେଉଁ ପରାଜୟ ବରଣ କରିଆସୁଛି ତାହା କଣ ଏସ୍ଆଇଆର ଯୋଗୁଁ ହୋଇଛି। ଏସ୍ଆଇଆର ପୂର୍ବରୁ ହୋଇଥିବା ନିର୍ବାଚନଗୁଡିକରେ ମଧ୍ୟ କଂଗ୍ରେସ ପରାଜୟ ବରଣ କରିଥିଲା। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଅନୁପ୍ରବେଶକାରୀଙ୍କୁ ଭୋଟର ଭାବେ ପଞ୍ଜୀକୃତ କରିବାରେ ବିରୋଧୀଙ୍କ ଯୋଜନା ବିଷୟରେ ଜନସାଧାରଣ ଭଲ ଭାବରେ ଜାଣିଛନ୍ତି।
