ଭୁବନେଶ୍ୱର: ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଭିତରେ ସୀମିତ ରହିବା ପରିବର୍ତ୍ତେ ଏହି ନିର୍ବାଚନ, ୨୪ ବର୍ଷ ଧରି ନିରଙ୍କୁଶ କ୍ଷମତା ଭୋଗି ଆସିଥିବା ବିଜେଡି ଓ ମାତ୍ର ଅଢ଼େଇବର୍ଷ ହେଲା କ୍ଷମତାକୁ ଆସିଥିବା ବିଜେପି ସରକାର ପାଇଁ ସ୍ବାଭିମାନର ବିଷୟ ହୋଇଛି। ଆଗକୁ ଥିବା ପଞ୍ଚାୟତ ଓ ପୌର ଭୋଟ୍କୁ ଆଖି ଆଗରେ ରଖି ରାଜ୍ୟର ଏହି ଦୁଇ ପ୍ରମୁଖ ଦଳ ଛାତ୍ର ସଂସଦ ନିର୍ବାଚନ ଜରିଆରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଦୁଇ ଦଳ ଭିତରେ ଏହି ଟକରାଟକରି ଯୋଗୁଁ ଛାତ୍ର ସଂସଦ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଲିଙ୍ଗଡୋ କମିସନ୍ଙ୍କ ସବୁ ସୁପାରିସ୍ ଦଳିମକଚି ହୋଇଯାଇଛି। କ୍ୟାମ୍ପସରେ କୋଟି କୋଟି ଟଙ୍କା ଉଡ଼ିଥିବା ବେଳେ ମୁଖ୍ୟ ଧାରା ନେତାଙ୍କ ଗୋଟିଚାଳନା ସାମ୍ନାକୁ ଆସିଛି। ଅଳ୍ପ କିଛି ଦିନର ପ୍ରସ୍ତୁତି ଏବଂ ସୀମିତ ଅବଧି ମଧ୍ୟରେ ଏହି ନିର୍ବାଚନ ହୋଇଥିଲେ ମଧ୍ୟ ଏହା ଆଶାତୀତ ଭାବେ ବ୍ୟୟବହୁଳ ଏବଂ ପ୍ରତିଯୋଗିତାମୂଳକ ରହିଥିଲା। କ୍ୟାମ୍ପସଗୁଡ଼ିକରେ କ୍ଷମତା ପ୍ରଦର୍ଶନ, ହିଂସା ଓ ଗଣ୍ଡଗୋଳର ବାତାବରଣ ମଧ୍ୟରେ ଏହି ନିର୍ବାଚନ ସରିଛି। ଏହି ଦୌଡ଼ରେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ।
ରାଜ୍ୟରେ ଦୀର୍ଘ ବର୍ଷ ପରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଆସିବା ପରେ ଏବେ ରାଜ୍ୟର ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଉଭୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରସ୍ପରକୁ ସମାଲୋଚନା କରିଛନ୍ତି। ଗୋଟିଏ ପଟେ, ବର୍ତ୍ତମାନର ସରକାର
କ୍ୟାମ୍ପସରେ ଗଣତନ୍ତ୍ର ଫେରାଇ ଆଣିଥିବା ନେଇ ଶ୍ରେୟ ନେଉଥିବା ବେଳେ ଅନ୍ୟପଟେ ଶାସକ ଦଳ ଉପରେ ଅସାଧୁ ଉପାୟ ଅବଲମ୍ବନ କରିଥିବାର ଅଭିଯୋଗ ଆଣିଛନ୍ତି ନବୀନ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଏକ ପୋଷ୍ଟ ମାଧ୍ୟମରେ ପୂର୍ବତନ ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପୂର୍ବ ସରକାର ନିଜର ରାଜନୈତିକ ସ୍ୱାର୍ଥ ପାଇଁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖି ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ସ୍ୱରକୁ ଚାପି ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ବର୍ତ୍ତମାନର ସରକାର ଛାତ୍ର ସମାଜକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ସଫଳତାର ସହ ନିର୍ବାଚନ ପରିଚାଳନା କରିବା ସହ କ୍ୟାମ୍ପସରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରିଛନ୍ତି ବୋଲି ଶ୍ରୀ ମାଝୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ କ୍ୟାମ୍ପସରେ ଶୃଙ୍ଖଳା, ଶୈକ୍ଷିକ ବାତାବରଣ ଏବଂ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରି ଏକ ବିକଶିତ ଓଡ଼ିଶା ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଛନ୍ତି।
ଅନ୍ୟପକ୍ଷରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପୋଷ୍ଟରେ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ବିଜେପି ସରକାରଙ୍କ ଉପରେ ଅଭିଯୋଗ କରିଛନ୍ତି। ଶ୍ରୀ ପଟ୍ଟନାୟକ ଏହି ବିଜୟକୁ ଓଡ଼ିଶାର ‘ଜେନ୍-ଜି’, ଯୁବ ଓ ଛାତ୍ରଶକ୍ତିଙ୍କ ନିଷ୍ଠା ଏବଂ ଏକତାର ପ୍ରତିଫଳନ ବୋଲି ବର୍ଣ୍ଣନା କରିଛନ୍ତି। ଏହାସହ ଛାତ୍ର ସଂସଦ ନିର୍ବାଚନକୁ ଅନ୍ୟାୟ ଓ ଅସାଧୁ ଉପାୟରେ ଜିତିବା ପାଇଁ ବିଜେପି ସରକାର କରିଥିବା ଚକ୍ରାନ୍ତ ବିରୋଧରେ ଦୃଢ଼ତାର ସହ ଲଢ଼ିଥିବା ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ତଥା ବିଜେଡିର ସମସ୍ତ ନେତାଙ୍କୁ ସେ ସାଧୁବାଦ ଜଣାଇଛନ୍ତି। କଲେଜର ଶୈକ୍ଷିକ ବାତାବରଣ ବଜାୟ ରଖି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସମସ୍ତେ ଏକାଠି ହୋଇ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି।
