ୱାଶିଂଟନ : ଆମେରିକାରେ ଭୟରେ କାଳ କାଟୁଛନ୍ତି ଭାରତୀୟ। ଏହି ଭୟ ଯୋଗୁଁ କାଲିଫର୍ଣ୍ଣିଆରେ ପ୍ରାୟ ୩୦ ହଜାର ଭାରତୀୟ ଶ୍ରମିକଙ୍କୁ ଚାଷ କାମ ଛାଡ଼ିବାକୁ ପଡ଼ିଛି। ଅଧିକାଂଶ ଶ୍ରମିକଙ୍କ ପାଖରେ ଆମେରିକାରେ ରହିବାକୁ ଓ କାମ କରିବାକୁ ସବୁ ପ୍ରମାଣପତ୍ର ନ ଥିବାରୁ ଏହି ସ୍ଥିତି ସୃଷ୍ଟି ହୋଇଛି। ଇମିଗ୍ରେସନ ଏଜେନ୍ସି ଆଇସିଇର ଚଢ଼ଉ ଓ ଧରାପଡ଼ିବା ଭୟରେ ଶ୍ରମିକ କାମ କରିବାକୁ କ୍ଷେତକୁ ଯାଉନାହାନ୍ତି। ଏହା ଦ୍ବାରା ଆମେରିକାରେ ଫଳ ଓ ପନିପରିବାର ମୂଲ୍ୟ ୩୦ରୁ ୩୨ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ। ସୂଚନା ଅନୁଯାୟୀ, କାଲିଫର୍ଣ୍ଣିଆରେ ଡେମୋକ୍ରାଟିକ୍ ପାର୍ଟିର ସରକାର ରହିଛି। ରାଜ୍ୟ ସରକାର ବେଆଇନ ପ୍ରବାସୀମାନଙ୍କୁ ସୁରକ୍ଷା ଦେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରୁଛନ୍ତି। ଏହା ପରେ ଟ୍ରମ୍ପ ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ (ଆଇସିଇ)କୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି। ଗତ ଦୁଇ ମାସ ମଧ୍ୟରେ ହଜାର ହଜାର କୃଷି ଶ୍ରମିକଙ୍କୁ ଧରି ହାଜତରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ଆମେରିକାରୁ ବାହାର କରାଯାଇଛି। ସୂଚନାଯୋଗ୍ୟ ଯେ ଆମେରିକାରେ ଆବଶ୍ୟକ କାଗଜପତ୍ର ବିନା ରହୁଥିବା ପ୍ରାୟ ୭.୫ ଲକ୍ଷ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ ଲୋକ କୃଷି ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ। ଆଇସିଇର ଚଢ଼ଉ ଯୋଗୁଁ କାଲିଫର୍ଣ୍ଣିଆଠାରୁ କାନ୍‌ସାସ୍ ପର୍ଯ୍ୟନ୍ତ ଅନେକ ସ୍ଥାନରେ କୃଷି କ୍ଷେତ୍ରରେ ଶ୍ରମିକଙ୍କ ଘୋର ଅଭାବ ଦେଖାଦେଇଛି। ଅନ୍ୟପକ୍ଷରେ ଟ୍ରମ୍ପ ପ୍ରଶାସନ ଏହାକୁ ବଡ ସଫଳତା ବୋଲି କହୁଛି।