ପୁରୀ: ଶ୍ରୀମନ୍ଦିରରେ ଆଜି ପାଳନ ହେଉଛି ପବିତ୍ର ଦଶହରା ତଥା ବିଜୟା ଦଶମୀ । ଏହି ଅବସରରେ ଭକ୍ତମାନଙ୍କୁ ସୁନାବେଶ ତଥା ରାଜରାଜଶ୍ୱେର ବେଶରେ ସଜ୍ଜିତ ହୋଇ ଦର୍ଶନ ଦିଅନ୍ତି ଶ୍ରୀଜିଉ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ ।
ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବାର ପରମ୍ପରା ରହିଛି । ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶକୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ।
ଶ୍ରୀମନ୍ଦିରର ଚୂନରା ସେଵକ ଶରତ ମହାନ୍ତିଙ୍କ ସୁଚନା ଅନୁସାରେ ‘‘ଶ୍ରୀମନ୍ଦିରରେ ଆଜି ଦଶହରା ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହେଉଛି । ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହେଉଛି । ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପର୍ଣ୍ଣ କରାଯାଏ । ଏହି ବେଶରେ ପାଞ୍ଚଖଣ୍ତ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ । ସକାଳଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯାଇଥାଏ । ମେକାପ ତିନୋଟି ରୂପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ, ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ ଚକ୍ର ଆୟୁଧ ଲାଗି କରିଥାଏ’’।
ଆଜି ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥାଆନ୍ତି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି । ମହାପ୍ରଭୁଙ୍କ ପାଖରେ ଆୟୁଧ ଲାଗି ପରେ ମଦନମୋହନ ଓ ରାମକୃଷ୍ଣ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ମହାଖଳାକୁ ବିଜେ କରିବା ପରେ ସେଠାରେ ଆଳତୀ ବଢ଼ିବା ପରେ ମଦନ ମୋହନଙ୍କ ସହ ଦୁର୍ଗାମାଧବ ସିଂହାସନକୁ ବିଜେ କରିଥାନ୍ତି । ଏହାସହ ତିନି ବାଡ଼ରେ ମଙ୍ଗଳାର୍ପଣା କରାଯାଇଥାଏ । ଏହି ଅବସରରେ ଜଗନ୍ନାଥ ବଲ୍ଲଭ ମଠରେ ଠାକୁରଙ୍କୁ ପ୍ରସାଦ ଲାଗି ଓ ବନ୍ଦାପନା କରାଯିବା ପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥାନ୍ତି ।
ଦଶହରା ଅବସରରେ ମା’ ବିମଳାଙ୍କ ପ୍ରତିନିଧି ଭାବେ ପୂଜା ପାଉଥିବା ମା’ କାକୁଡ଼ିଖାଇଙ୍କ ଆଜି ରାତିରେ ବିସର୍ଜନ ସହ ଆସନ୍ତାକାଲି ଅନ୍ୟ ସମସ୍ତ ଗୋଷାଣୀଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା ଅନୁଷ୍ଠିତ ହେବ । ଏହାପରେ ଏକାଦଶୀ ଦୀପ ଉଠିବା ପରେ ସମସ୍ତ ଗୋଷାଣିଙ୍କ ବିସର୍ଜନ ଅନୁଷ୍ଠିତ ହେବ। ସେପଟେ ଆସନ୍ତାକାଲି ସମସ୍ତ ଗୋଷାଣୀଙ୍କ ଭସାଣି ଉତ୍ସବ କିଭଳି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେନେଇ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
