ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ସୋମବାର ଅପରାହ୍ଣରେ କଟକସ୍ଥିତ ଜଗତ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ । ୪ ତାରିଖରେ ଭୁବନେଶ୍ୱର ରେଳଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଯିବେ । ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରିବେ ।

କେନ୍ଦ୍ର ଗୃହ ମନ୍ତ୍ରାଳୟର ବ୍ଲୁ ୁ ବୁକ୍‌ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ପାଖେ ପାଖେ କମାଣ୍ଡୋ  ମୁତୟନ ରହିବେ । ଭୁବନେଶ୍ୱର କଟକରେ ୪୦ ପ୍ଲାଟୁନ୍‌ ପୁଲିସ ଫୋର୍ସ  ଜଗିବେ । ୧୫୦ ଜଣ ପୁଲିସ ଅଫିସର  ତଦାରଖ କରିବେ । ଜଣେ ଲେଖାଏଁ  ଏସ୍‌ପି ପାହ୍ୟା ଅଧିକାରୀ ପ୍ରତି କାର୍ଯ୍ୟକ୍ରମ  ସ୍ଥଳର ସୁରକ୍ଷା ଦାୟିତ୍ୱ ମୁଣ୍ଡାଇବେ । ସୋମବାର ଅପରାହ୍ଣ ୨ଟା  ୨୦ ମିନିଟ୍‌ରେ ବାୟୁସେନାର ସ୍ୱତନ୍ତ୍ର  ବିମାନରେ ଆସି ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ।  ଅପରାହ୍ଣ ସାଢ଼େ ୨ଟାରେ ରାଷ୍ଟ୍ରପତିଙ୍କ  କାରକେଡ୍‌ ଲୋକଭବନ ଅଭିମୁଖେ  ବାହାରିବ । ସେଥିପାଇଁ ଅପରାହ୍ଣ ୨ଟା  ୧୦ ମିନିଟ୍‌ରୁ ୨ଟା ୪୫ ମିନିଟ୍‌ ଯାଏ  ଏୟାରପୋର୍ଟ ଛକ ହସ୍ପିଟାଲ ଛକରୁ  ଏଜି ଛକ ଦେଇ ଲୋକଭବନ ଛକ  ଯାଏ ରାସ୍ତା ବନ୍ଦ ରହିବ । ଅପରାହ୍ଣ  ୪ଟାରେ ଲୋକଭବନରୁ ବାହାରି  ଜଗତ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟକୁ  ଯିବେ । ସେଠାରୁ ଫେରିବା ପରେ  ଲୋକଭବନରେ ରାତ୍ରିଯାପନ କରିବେ ।

ତା’ପରଦିନ ସକାଳ ୮ଟା  ୪୫ ମିନିଟ୍‌ରେ ଭୁବନେଶ୍ୱର  ରେଳଷ୍ଟେସନରେ ପହଞ୍ଚିବେ  ରାଷ୍ଟ୍ରପତି । ଭିଆଇପି ଲାଉଞ୍ଜ ଦେଇ  ପ୍ଲାଟଫର୍ମ ନଂ ୧ କୁ ଯିବେ । ଦିଲ୍ଲୀରୁ  ଆସିଥିବା ‘ସ୍ପେଶାଲ ସାଲୁନ୍‌’ ଟ୍ରେନ୍‌ରେ  ସକାଳ ୯ଟାରେ ରାଷ୍ଟ୍ରପତି ବ୍ରହ୍ମପୁର  ଅଭିମୁଖେ ବାହାରିବେ । ଏହି ସ୍ୱତନ୍ତ୍ର  ଟ୍ରେନ୍‌କୁ ଆଗ ପଛ ହୋଇ ୨ଟି ଟ୍ରେନ୍‌  ଏସକର୍ଟ କରିବ । ସେହି ଟ୍ରାକ୍‌ରେ  ଅନ୍ୟ କୌଣସି ଟ୍ରେନ୍‌ ଯିବ ନାହିଁ।  ଭୁବନେଶ୍ୱର ଓ ବ୍ରହ୍ମପୁର  ରେଳଷ୍ଟେସନକୁ ପୁଲିସ ଛାଉଣୀ  କରାଯିବ । ୨ଟି ରେଳଷ୍ଟେସନର  କୋଣ ଅନୁକୋଣକୁ  ତନ୍ନତନ୍ନ କରି  ଯାଞ୍ଚ ଚାଲିଛି । ବମ୍‌ ସ୍କ୍ୱାର୍ଡ ଓ ସନ୍ଧାନୀ  କୁକୁର ସଜାଗ ଅଛନ୍ତି । ସୋମବାର ସନ୍ଧ୍ୟାରୁ ୨ଟି ରେଳଷ୍ଟେସନକୁ  ହାଇଆଲର୍ଟରେ ରଖାଯିବ । ପ୍ରତିଟି ଯାତ୍ରୀ ଓ ଜିନିଷପତ୍ରକୁ  ଟିକିନିଖି ଯାଞ୍ଚ କରାଯିବ ।

ଅଧିକ ପଢ଼ନ୍ତୁ :-  Rain Alert: ଆସନ୍ତା ୮ ତାରିଖ ଯାଏ ପ୍ରବଳ ବର୍ଷା, ଉପରମୁଣ୍ଡରେ ବି ପ୍ରବଳ ବର୍ଷିବ, ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆରସି​​​​​​​

ଭୁବନେଶ୍ୱର ରେଳଷ୍ଟେସନରେ ୧୫ ପ୍ଲାଟୁନ୍‌ ଫୋର୍ସ ଜଗିବେ ।  ସେଥିରେ କମିଶନରେଟ୍‌ ପୁଲିସ  ସହ ରେଳବାଇ ସୁରକ୍ଷା ବଳ  (ଆରପିଏଫ୍‌) ଓ ଜିଆର୍‌ପିର ଫୋର୍ସ  ମୁତୟନ ହେବେ ।   ବ୍ରହ୍ମପୁର ରେଳଷ୍ଟେସନରୁ ରାଷ୍ଟ୍ରପତି ସଡ଼କ  ପଥରେ ତପ୍ତପାଣି ବୁଲିବା ସହ ମା’ କନ୍ଧୁଣୀ  ଦେବୀ ପୀଠକୁ ଯିବେ । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍‌ଙ୍କ କହିବା ମୁତାବକ, ତାଙ୍କ ସହ  ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଓ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆସିବା  କାର୍ଯ୍ୟକ୍ରମ ରହିଛି । ମା’ଙ୍କ ଦର୍ଶନ ପରେ  ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜରେ ରାତିରେ  ରହିବେ । ତା’ପରଦିନ ରାଷ୍ଟ୍ରପତି ବ୍ରହ୍ମପୁରରୁ  ରେଳ ଯୋଗେ ଭୁବନେଶ୍ୱରରେ ପହଞ୍ଚି ସେଠାରୁ  ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ  ଫେରିଯିବେ ।

ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ  ଏମ୍‌ ଓ ଗଞ୍ଜାମ ଏସ୍‌ପି ହରିଶ୍‌ ବି.ସି ଆଜି ସୁରକ୍ଷା  ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ବ୍ରହ୍ମପୁରରୁ ତପ୍ତପାଣି  ପର୍ଯ୍ୟନ୍ତ ନୋ-ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା କରାଯାଇଛି ।  ସୁରକ୍ଷାରେ ୫୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହେବେ ।  ରାଷ୍ଟ୍ରପତିଙ୍କ କାରକେଡ୍‌ରେ ୨୮ଟି ଗାଡ଼ି ଯିବା  ବ୍ୟବସ୍ଥା ରହିଛି । ରାଷ୍ଟ୍ରପତିଙ୍କ ଯାତ୍ରା ପାଇଁ ବ୍ରହ୍ମପୁର  ଷ୍ଟେସନ୍‌ ଠାରୁ ଫାଷ୍ଟଗେଟ୍‌ ଛକ ପର୍ଯ୍ୟନ୍ତ ରାସ୍ତା  ଚକାଚକ୍‌ ହୋଇଛି । ଖାଲଖମା ଉଭେଇ ଯାଇଛି ।  ଡ୍ରେନ୍‌ରେ କଭର ସ୍ଲାବ୍‌ ଢାଙ୍କି ହୋଇ ରହିଛି ।  ସହରର ଏହି ପ୍ରମୁଖ ଜନଗହଳି ଅଞ୍ଚଳର ରାସ୍ତା  ଏବେ ଭିଆଇପି ରୋଡ୍‌ର ଭ୍ରମ ସୃଷ୍ଟି କରୁଛି ।