ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ ବାମପାର୍ଶ୍ୱର ୫ଟି ଏବଂ ଡାହାଣପାର୍ଶ୍ୱର ୨ଟି ଗେଟ୍ ସାମିଲ ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ୬୧୯.୦୨ ମିଟର ରହିଛି। ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳ ପରିମାଣ ବଢ଼ିଥିବାରୁ ଅଧିକ ପାଣି ନିଷ୍କାସନ କରାଯାଉଛି।
ହୀରାକୁଦରୁ ଅଧିକ ପାଣି ଛଡ଼ାଯାଉଥିବାରୁ ମହାନଦୀ ଅବବାହିକାରେ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।ନଦୀକୂଳକୁ ନଯିବା ସହ ପ୍ରଶାସନ ପକ୍ଷରୁ ଜାରି ହେଉଥିବା ସତର୍କତା ଓ ନିର୍ଦ୍ଦେଶକୁ ମାନିବାକୁ କୁହାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବଂ ଗେଟ୍ ଖୋଲା ସ୍ଥିତି ଉପରେ କର୍ତ୍ତୃପକ୍ଷ ନିୟମିତ ନଜର ରଖିଛନ୍ତି।