ପୁରୀ: ଖାଁ ଖାଁ ଲାଗୁଥିବା ଶ୍ରୀମନ୍ଦିର ପରିସର ଏବେ ପରିପୂର୍ଣ୍ଣ ଲାଗିବ । ଆଜି ନୀଳକନ୍ଦରକୁ ଫେରିବେ ନୀଳାଚଳିଆ । ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ନୀତି । ପାଟ୍ଟ ଶାଢ଼ୀ ଓ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜିବେ ମନୁଆ ଠାକୁର । ରଥଯାତ୍ରାର ଅନ୍ତିମ ଯାତ୍ରା ତଥା ଅନନ୍ୟ ଉତ୍ସବ ଦେଖିବା ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ଭକ୍ତମାନଙ୍କର ଆଗମନ ଲାଗିରହିଛି । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ।ସ୍ବାମୀ-ସ୍ତ୍ରୀଙ୍କ ବନ୍ଧନ ଅତୁଟ । ଯେଉଁ ସମ୍ପର୍କରେ ରାଗ-ଋଷା, ମାନ-ଅଭିମାନ ସବୁକିଛି ଭରି ରହିଥାଏ । ଖଟା-ମିଠା ଝଗଡ଼ା ବିନା ଦାମ୍ପତ୍ୟ ଜୀବନରେ ପରିପୂର୍ଣ୍ଣତା ନଥାଏ । ସ୍ବୟଂ ମହାପ୍ରଭୁ ଏଥିରୁ ମୁକୁଳିବେ ବା କେମିତି ? ଧରାଧାମରେ ମାନବୀୟ ଲୀଳାଖେଳା କରୁଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ । ଆଉ ସେହି ଦାମ୍ପତ୍ୟ ଜୀବନର ମାନ ଅଭିମାନର ନିଦର୍ଶନ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନୀଳାଦ୍ରି ବିଜେ ନୀତି’ ।
ମହାପ୍ରଭୁଙ୍କ ଉପରେ ଋଷିଛନ୍ତି ମାଆ ଲକ୍ଷ୍ମୀ ସାଆନ୍ତାଣୀ । ଶ୍ରୀମନ୍ଦିରରେ ମା’ ଲକ୍ଷ୍ମୀଙ୍କୁ ଛାଡି ଭାଇ-ଭଉଣୀଙ୍କୁ ନେଇ ନବଦିନାତ୍ମକ ଗୁଣ୍ଡିଚା ଯାତ୍ରାରେ ବାହାରି ଯାଇଥିଲେ ମହାପ୍ରଭୁ । ଆଜି ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ସାଥିରେ ନେଇନଥିବାରୁ ରାଗିଛନ୍ତି ମା’ ଲକ୍ଷ୍ମୀ ଠାକୁରାଣୀ । ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ମଣିମାଙ୍କ ବାଟ ଓଗାଳନ୍ତି ମା’ ଲକ୍ଷ୍ମୀ । ରସଗୋଲା ଓ ପାଟ ଶାଢ଼ୀ ଦେଇ ପ୍ରାଣପ୍ରିୟା ପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ । ପ୍ରେମ-ଅଭିମାନ-ଅନୁରାଗର ନିଚ୍ଛକ ଦୃଶ୍ୟ ଆଜି ସିଂହଦ୍ବାରରେ ଦେଖିବ ସାରା ବିଶ୍ବ ।ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଲୀଳା ପରେ ରଥଯାତ୍ରାରେ ଶେଷ ପର୍ବ ନୀଳାଦ୍ରି ବିଜେ ଅନୁଷ୍ଠିତ ହୁଏ । ରତ୍ନବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରାରେ ସାଥିରେ ନେଇନଥିବାରୁ ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀ କାଳିଆ ସାଆନ୍ତେଙ୍କ ବାଟ ଓଗାଳନ୍ତି। ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରି ରତ୍ନବେଦୀକୁ ବିଜେ କରନ୍ତି ମହାପ୍ରଭୁ ।ପରମ୍ପରା ଅନୁଯାୟୀ, ସନ୍ଧ୍ୟା ଧୂପ, ଚାରମାଳ ବନ୍ଧାହେବା ପରେ ଭକ୍ତଙ୍କୁ କିଛି ସମୟ ଦର୍ଶନ ଦେଇ ଶ୍ରୀମନ୍ଦିରକୁ ବିଜେ କରନ୍ତି ଚତୁର୍ଦ୍ଧାମୂର୍ତ୍ତି । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରାଇଥାନ୍ତି । ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି । ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ରତ୍ନ ସିଂହାସନକୁ ବିଜେ କରାଯାଏ ।
