ଏଣିକି ଓଡ଼ିଶା ସିଭିଲ୍ ସର୍ଭିସେସ୍-OCS ପରୀକ୍ଷାରେ ଆଉ ରହିବନି ୬ଟି ସୁଯୋଗ। ଆଶାୟୀମାନେ ସେମାନଙ୍କ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ। ସାଧାରଣ ବର୍ଗ ପାଇଁ ସର୍ବୋଚ୍ଚ ବୟସସୀମା ୪୨ ବର୍ଷ, ମହିଳା ଓ ସଂରକ୍ଷିତ ବର୍ଗ ପାଇଁ ୪୭ ବର୍ଷ ପର୍ଯ୍ୟନ୍ତ ରହିବ। ରାଜ୍ୟସ୍ତରୀୟ ପରେଡରେ ଯୋଗଦେଇ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅର୍ଥାତ୍ ଗୋଟିଏ ନିର୍ଦ୍ଦିଷ୍ଟ ସୁଯୋଗରେ ଅଟକି ରହିବନି ସ୍ୱପ୍ନ। ବୟସ ସୀମା ଭିତରେ ଥିଲେ, ବାରମ୍ବାର ନିଜକୁ ପ୍ରମାଣ କରିବାର ସୁଯୋଗ ମିଳିବ।

ପୂର୍ବରୁ ଅନ୍ୟ ସରକାରୀ ଚାକିରି ପରୀକ୍ଷା ପାଇଁ ୪୨ ବର୍ଷ ବୟସସୀମା ଥିଲେ ବି OCS କ୍ଷେତ୍ରରେ ସମାନ ନିୟମ ଲାଗୁ ହୋଇନଥିଲା। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ହଜାର ହଜାର ଆଶାୟୀଙ୍କ ପାଇଁ ଖୋଲିଛି ଆଶାର ନୂଆ ବାଟ। ଏଥିସହ ଆଉ ପରୀକ୍ଷା ଦୁର୍ନୀତି ରୋକିବା ଦିଗରେ କଡ଼ା ବାର୍ତ୍ତା ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପରୀକ୍ଷାରେ ଦୁର୍ନୀତି ଓ ଅନିୟମିତତା ହେବ ଅକ୍ଷମଣୀୟ। ଏକଜାମ୍ ମାଫିଆ ହୁଅନ୍ତୁ କି ପରିଚାଳନାରେ ଥିବା ଅଧିକାରୀ, ସାମାନ୍ୟତମ ତ୍ରୁଟି ବା ଅନିୟମିତତା ହେଲେ ନିସ୍ତାର ମିଳିବନି।

OCS ପରୀକ୍ଷା ନିୟମ କୋହଳ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟର ଲକ୍ଷ ଲକ୍ଷ ଆଶାୟୀଙ୍କ ମୁହଁରେ ହସ ଫୁଟିଛି। ସେମାନଙ୍କ ପାଇଁ ସୁଯୋଗର ବାଟ ଫିଟିବା ସହ ଆଶା ବଢ଼ିଲା। ବୟସ ସୀମା କୋହଳ ସହ ଏକଜାମ୍ ମାଫିଆଙ୍କ ବିରୋଧରେ ସରକାରଙ୍କ କଠୋର ଆଭିମୁଖ୍ୟ ଆଶାୟୀଙ୍କ ଆସ୍ଥା ଫେରାଇ ଆଣିଛି।

ସରକାରଙ୍କ ଏହି ସଂସ୍କାରମୂଳକ ପଦକ୍ଷେପକୁ ଶିକ୍ଷାବିତ୍ ବି ସ୍ୱାଗତ କରିଛନ୍ତି। ତେବେ ସେମାନଙ୍କ ମତ, କେବଳ ନିୟମ ପରିବର୍ତ୍ତନ ନୁହେଁ। ପରୀକ୍ଷା ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା, ତ୍ରୁଟିଶୂନ୍ୟ ଏକଜାମ୍, ପ୍ରତିବର୍ଷ ଠିକ ସମୟରେ ପରୀକ୍ଷା କରାଇବା ଓ ମେଧା ସହ ଯେଭଳି କୌଣସି ବୁଝାମଣା ନହୁଏ ଦୃଷ୍ଟି ଦେବାକୁ ପଡ଼ିବ। କାରଣ ଗୋଟିଏ ପରୀକ୍ଷା ହଜାର ହଜାର ଯୁବକ-ଯୁବତୀଙ୍କ ଭବିଷ୍ୟତର ମାର୍ଗ ନିର୍ଦ୍ଧାରଣ କରିଥାଏ।

ଦୁଇବର୍ଷ ତଳେ ପୋଲିସ SI ପରୀକ୍ଷାରେ ଅନିୟମିତତା ଘଟଣାର ତଦନ୍ତ କରୁଛି ସିବିଆଇ। ଏଯାଏଁ ସାନି ପରୀକ୍ଷା ହୋଇ ନଥିବା ବେଳେ ଆଶାୟୀଙ୍କ ଭିତରେ ଅସନ୍ତୋଷ ତେଜିବାରେ ଲାଗିଛି। ସେହିପରି ବିଭିନ୍ନ ନିଯୁକ୍ତି ଭିତ୍ତିକ ପରୀକ୍ଷାରେ ତ୍ରୁଟି ବିଭିନ୍ନ ସମୟରେ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ ନୀତି କିଭଳି କାର୍ଯ୍ୟକାରୀ ହେଉଛି ତାହା ଦେଖିବା କଥା।