ନୂଆଦିଲ୍ଲୀ: କ୍ରମାଗତ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌​ରେ ଆଫ୍‌ଗାନିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରିଛି ଭାରତ। ମଙ୍ଗଳବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୭ ୱିକେଟ୍‌ରେ ଆଫ୍‌ଗାନିସ୍ତାନକୁ ଭାରତ ପରାସ୍ତ କରିଛି। ଫଳରେ ୨-୦ରେ ଆଗୁଆ ହୋଇ ୩ ମ୍ୟାଚ୍‌ର ଟି୨୦ ଶୃଙ୍ଖଳାକୁ ହାତେଇ ନେଇଛି ଭାରତ। ଭାରତୀୟ ବୋଲର ନିୟମିତ ୱିକେଟ୍‌ ନେଇ ଆଫ୍‌ଗାନିସ୍ତାନର ସ୍କୋର୍‌କୁ ୮ ୱିକେଟ୍‌ରେ ୧୫୯ ରନ୍‌ରେ ସୀମିତ ରଖିଥିଲେ। ପରେ ସଞ୍ଜୁ ସାମ୍‌ସନଙ୍କ ଅର୍ଦ୍ଧଶତକ ସହ ଅଭିଷେକ ଶର୍ମା ଓ ଈଶାନ୍ କିଷନଙ୍କ ବିସ୍ଫୋରକ ଇନିଂସ ବଳରେ ୩୧ଟି ବଲ୍‌ ବାକିଥାଇ ୩ ୱିକେଟ୍‌ ହରାଇ ଭାରତ ଜିତି ନେଇଥିଲା। ଗୁରୁବାର ଉଭୟ ଦଳଙ୍କ ମଧ୍ୟରେ ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ।
ପ୍ରଥମ ଟି୨୦ ସହ ଏହି ମ୍ୟାଚ୍‌ର କିଛି ସମାନତା ଥିଲା। ଉଭୟ ମ୍ୟାଚ୍‌କୁ ଭାରତ ୭ ୱିକେଟ୍‌ରେ ଜିତିଥିଲା। ପ୍ରଥମ ମ୍ୟାଚ୍‌ରେ ଭାରତ ୧୫୭ ରନ୍‌ର ପିଛା କରିଥିବା ବେଳେ ଏହି ମ୍ୟାଚ୍‌ରେ ୧୬୦ ରନ୍‌ର ପିଛା କରିଥିଲା। ପ୍ରଥମ ମ୍ୟାଚ୍‌ରେ ୩୮ଟି ବଲ୍‌ ବାକିଥାଇ ଏବଂ ଏହି ମ୍ୟାଚ୍‌ରେ ୩୧ଟି ବଲ୍‌ ବାକିଥାଇ ଭାରତ ଜିତିଥିଲା। ସମ୍ମୁଖରେ ୧୬୦ ରନ୍‌ର ବିଜୟଲକ୍ଷ୍ୟ ଥିବା ବେଳେ ଭାରତୀୟ ଓପ୍‌ନର ସଞ୍ଜୁ ସାମ୍‌ସନ ଓ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ। ୪ ଓଭରରେ ୩୫ ରନ୍‌ କରିଥିବା ଭାରତ ପରବର୍ତ୍ତୀ ୨ ଓଭରରେ ୪୭ ରନ୍‌ ଯୋଡ଼ିବାରୁ ପାୱରପ୍ଲେରେ ଏହା ୮୨ ରନ୍‌ରେ ପହଞ୍ଚି ଯାଇଥିଲା। ୩୧ ବଲ୍‌ରୁ ୮୮ ରନ୍‌ର ଓପ୍‌ନିଂ ଭାଗୀଦାରି ପରେ ଅଭିଷେକ ଶର୍ମା ଆଉଟ୍‌ ହୋଇଥିଲେ। ପ୍ରଥମ ମ୍ୟାଚ୍‌ର ହିରୋ ଅଭିଷେକ ଆକ୍ରମଣ କରି ୧୯ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୩୯ ରନ୍‌ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ୧୦ ରନ୍‌ରେ ଆଉଟ୍‌ ହୋଇ ସମାଲୋଚିତ ହୋଇଥିବା ସଞ୍ଜୁ ସାମ୍‌ସନ ଏହି ମ୍ୟାଚ୍‌ରେ ବିସ୍ଫୋରକ ଇନିଂସ ଖେଳି କଡ଼ା ଜବାବ ଦେଇଥିଲେ। ସାମ୍‌ସନ ବାଉଣ୍ଡରୀ ବର୍ଷା କରି ୨୨ ବଲ୍‌ରୁ ୪ଟି ଛକା ଓ ୭ଟି ଚୌକା ସହ ୫୭ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ ଶ୍ରେୟସ ଆୟର ୧୧ ବଲରୁ ଗୋଟିଏ ଛକା ସହ ୧୧ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଦୁଇ ବାମହାତି ଈଶାନ୍ କିଷନ ଓ ତିଳକ ବର୍ମା ଅପରାଜିତ ରହି ଦଳକୁ ଜିତାଇ ଫେରିଥିଲେ। କିଷନ ୨୩ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୮ ଏବଂ ତିଳକ ୧୪ ବଲ୍‌ରୁ ୧୫ ରନ୍‌କରି ଅପରାଜିତ ଥିଲେ। ତାରକା ଲେଗ୍‌ସ୍ପିନର ରସିଦ୍ ଖାଁ ୩ଟିଯାକ ୱିକେଟ୍ ନେଇଥିଲେ।
ଟସ୍ ଜିତି ଭାରତ ଫିଲ୍‌ଡିଂ କରିଥିଲା। ଆଫ୍‌ଗାନିସ୍ତାନର ରହମନୁଲ୍ଲା ଗୁର୍‌ବାଜ ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ପରେ ଅଧିନାୟକ ଇବ୍ରାହିମ୍‌ ଜାଦ୍ରାନ୍ ଓ ସେଦିକୁଲ୍ଲା ଅଟଲ ୬ ଓଭରରେ ଦଳର ସ୍କୋର୍‌କୁ ୪୧ ରନ୍‌ରେ ପହଞ୍ଚାଇଥିଲେ। ଇବ୍ରାହିମ୍‌ ଜାଦ୍ରାନ୍ ୩୩ ବଲ୍‌ରୁ ୬ଟି ଚୌକା ସହ ୩୭ ରନ୍‌କରି ବିଦାୟ ନେଇଥିଲେ। ସେଦିକୁଲ୍ଲା ଅଟଲ ୧୫ ବଲ୍‌ରୁ ୧୨ ଓ ଗୁଲ୍‌ବାଦିନ ନାଇବ ୮ ବଲ୍‌ରୁ ୧୦ ରନ୍‌ କରିଥିଲେ। ଡାର୍‌ୱିସ୍ ରସୁଲି ଷ୍ଟ୍ରୋକ୍‌ ଖେଳି ୧୫ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଛକା ସହ ୨୬ ରନ୍‌ କରିଥିଲେ। ଶେଷ ୫ ଓଭରରୁ ଆଫ୍‌ଗାନିସ୍ତାନ ୫୪ ରନ୍‌ କରି ପାରିଥିଲା। ମହମ୍ମଦ ନବି ୧୪ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୦ ଏବଂ ରସିଦ୍ ଖାଁ ୧୬ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ଦ୍ରୁତ ୨୮ ରନ୍‌ କରିଥଲେ। ନୀତୀଶ କୁମାର ରେଡ୍‌ଡୀ ୩ଟି ଓ ଅର୍ଶଦୀପ ସିଂହ ୨ଟି ୱିକେଟ୍‌ ନେଇଥିଲେ। ନୀତୀଶ ରେଡ୍‌ଡୀ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।