ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପାଟିପଙ୍କା ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗାଁ ନିକଟସ୍ଥ ଏକ କାଜୁ ବଗିଚାରେ କାମ କରୁଥିବା ସମୟରେ ହଠାତ୍ ବିରୁଡ଼ି ଆକ୍ରମଣ କରିବାରୁ ୧୫ ଜଣ ଗ୍ରାମବାସୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ପାଟିପଙ୍କା ଗାଁର କିଛି ଶ୍ରମିକ ଓ ଗ୍ରାମବାସୀ ଗାଁ ପାଖରେ ଥିବା କାଜୁ ବଗିଚାକୁ ଯାଇଥିଲେ । ସେଠାରେ ପ୍ରାୟ ୧୫ରୁ ଅଧିକ ଲୋକ କାଜୁ ବଗିଚାରେ କାମ କରୁଥିବା ବେଳେ ହଠାତ୍ ଏକ ବିରୁଡ଼ି ବସା ଭାଙ୍ଗିଯାଇଥିଲା । ଯାହା ପରେ ବିରୁଡ଼ି ଲୋକଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ମୋଟ୍ ୧୫ ଜଣ ଲୋକ ଆହତ ହୋଇଛନ୍ତି, ଯେଉଁଥିରେ ୭ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି ।
ପରେ ଗ୍ରାମବାସୀ ଓ ଅନ୍ୟମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାରେ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଉଛି । ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ସୂଚନା ମିଳିଛି । ଏହି ଅଚାନକ ଆକ୍ରମଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କାଜୁ ବଗିଚା କିମ୍ବା ଜଙ୍ଗଲ ଆଖପାଖରେ କାମ କରିବାକୁ ଯାଉଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।
