ଭୁବନେଶ୍ୱର: ଆଗ ପଛ  ହୋଇ ଦୁଇଟି ଲଘୁଚାପ ଓଡ଼ିଶା ଆଡ଼କୁ ଆସୁଛି । ଏହା  ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ  ବର୍ଷା ହୋଇପାରେ । ବେଶି ବର୍ଷିବ ଉତ୍ତର ଓଡ଼ିଶାରେ। ଏମିତି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବୈଜ୍ଞାନିକ । ଚଳିତ ଜୁଲାଇରେ  ଭଲ ବର୍ଷା ପାଇବ ଓଡ଼ିଶା । ଏହା ଚାଷ କାମକୁ ବେଶ୍‌  ସହାୟକ ହୋଇପାରେ । ତାଙ୍କ କହିବାନୁସାରେ ଉତ୍ତର  ଓଡ଼ିଶା-ଝାଡ଼ଖଣ୍ଡ ପାଖରେ ସ୍ଥଳଭାଗରେ ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହୋଇପାରେ ୧୨/୧୩ ତାରିଖବେଳକୁ । ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ  ୧୪ ତାରିଖବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା  ଅଛି । ଏହା ଅଧିକ ସମୟ ରହିବନି । ତଥାପି ୧୩ରୁ  ୧୫ ଭଲ ବର୍ଷା ହେବ । ବିଶେଷ କରି ଉତ୍ତର ଓ ପଶ୍ଚିମ  ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିପାରେ । ଏହା ପରେ  ବର୍ଷା କମିଲେ ମଧ୍ୟ ପାଗ ମୁଖ୍ୟତଃ ମେଘୁଆ ରହିବା  ସମ୍ଭାବନା ଅଛି । ପୁଣି ୧୯ ତାରିଖବେଳକୁ ଆଉ ଏକ  ଲଘୁଚାପ ହୋଇପାରେ ସେଇ ସମାନ ଅଞ୍ଚଳ ପାଖରେ ।  ଏହା ପ୍ରଭାବରେ ୧୮ରୁ ୨୨ ଯାଏ ବର୍ଷା ରହିପାରେ ।  ଦ୍ୱିତୀୟ ଲଘୁଚାପ ପ୍ରଭାବରେ ପୁଣି ଉତ୍ତର ଓଡ଼ିଶାରେ  ଅଧିକ ବର୍ଷା ସମ୍ଭାବନା ଅଛି ।

ପାଣିପାଗ ବିଭାଗ ମଧ୍ୟ  ୧୪ ତାରିଖବେଳକୁ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ  କରିଛି । ଜୁଲାଇରେ ଭଲ ବର୍ଷା ହେବା ପରେ ରାଜ୍ୟରେ  ଚାଷ କାର୍ଯ୍ୟରେ ସୁଧାର ଆସିଛି ।  ଚଳିତବର୍ଷ ଖରିଫରେ  ୫୭.୮୮ ଲକ୍ଷ ହେକ୍ଟର ଧାନ ଚାଷ ପାଇଁ ଲକ୍ଷ୍ୟ  ରଖାଯାଇଛି । କେନ୍ଦ୍ର କୃଷି ମନ୍ତ୍ରଣାଳୟ ତଥ୍ୟ ଅନୁସାରେ  ଜୁଲାଇ ୩ ସୁଦ୍ଧା ରାଜ୍ୟରେ ୨.୧୫ ଲକ୍ଷ ହେକ୍ଟର  ଜମିରେ ଖରିଫ ଫସଲ ବୁଣା ହୋଇଛି । ଗତବର୍ଷ ଏହି  ସମୟ ସୁଦ୍ଧା ୬.୮ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି  ହୋଇଥିଲା । ଗତବର୍ଷ ତୁଳନାରେ ଏହା ୬୮% କମ୍‌  ଥିଲା । ତେବେ ଜୁଲାଇ ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା  ହେବା ପରେ ସ୍ଥିତିରେ ସୁଧାର ଆସିଛି । ବର୍ଷା ନିଅଣ୍ଟିଆ  ସ୍ଥିତିରେ ସୁଧାର ଆସିବା ପରେ ବରଗଡ଼, ସମ୍ବଲପୁର,  ସୁବର୍ଣ୍ଣପୁରରେ ଚାଷ କାମ ସବୁଠୁ ଅଧିକ ଆଗେଇଛି ।  ଉପକୂଳରେ କଟକ, ଜଗତସିଂହପୁର, ପୁରୀ,  ବାଲେଶ୍ୱର ଜିଲ୍ଲାରେ ରୁଆ କାମ ଆଗକୁ ବଢ଼ିଛି । ଅନ୍ୟ  ଜିଲ୍ଲାଗୁଡ଼ିକରେ ମଧ୍ୟ ଚାଷୀ ଧାନ ବୁଣାବୁଣି ବଢ଼ାଇଛନ୍ତି ।