ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଲଘୁଚାପ ଜନିତ ବର୍ଷା ପ୍ରକ୍ରିୟା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗଭୀର ଅବପାତ ଦୁର୍ବଳ ହୋଇ ଏବେ ‘ଅବପାତ’ରେ ପରିଣତ ହୋଇଛି ଏବଂ ବର୍ତ୍ତମାନ ଏହା ସମ୍ବଲପୁର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜି ପଶ୍ଚିମ ଓଡ଼ିଶାରେ ବର୍ଷା ଜାରି ରହିବ ଏବଂ ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିବ ବୋଲି ଆକଳନ କରାଯାଇଛି । ପ୍ରବଳ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁର ସମେତ ମୋଟ୍ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ଆଶଙ୍କାକୁ ନେଇ ରାଜ୍ୟର ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।
ଗତ ୨୪ ଘଣ୍ଟା ଭିତରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ରେକର୍ଡ ହୋଇଛି । ବିଜେପୁରରେ ଏକକାଳୀନ ୩୦୦ ମି.ମି ବର୍ଷା ହୋଇଥିବା ଜଣାପଡ଼ିଛି । ଜିଲ୍ଲାର ୪ଟି ବ୍ଲକରେ ଅତ୍ୟନ୍ତ ଭାରି, ୭ଟି ବ୍ଲକରେ ଅତି ଭାରି ଏବଂ ଗୋଟିଏ ବ୍ଲକରେ ଭୀଷଣ ବର୍ଷା ରେକର୍ଡ କରାଯାଇଛି । ଗତକାଲି ବାଲେଶ୍ୱର ସହରରେ ଗୋଟିଏ ଦିନରେ ସର୍ବାଧିକ ୨୪୬.୬ ମି.ମି ବର୍ଷା ରେକର୍ଡ ହୋଇଥିଲା । ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ ତଥା ପାର୍ଶ୍ୱବର୍ତ୍ତୀ ବରଗଡ଼ ଜିଲ୍ଲାରେ ଗତକାଲି ରାତିତମାମ ତୁହାକୁ ତୁହା ବର୍ଷା ଜାରି ରହିଥିଲା । ଆଜି ମଧ୍ୟ ଏହିସବୁ ଜିଲ୍ଲାରେ ଅତ୍ୟନ୍ତ ଭାରି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
