ପୁରୀ,: ଆରମ୍ଭ ହେଲା ବିଶ୍ଵନିୟନ୍ତାଙ୍କ ଘୋଷଯାତ୍ରାର ଆକର୍ଷଣୀୟ ପରମ୍ପରା ପହଣ୍ଡି ବିଜେ। ଘଣ୍ଟ, ଘଣ୍ଟା, ହରିବୋଲ ହୁଳହୁଳି ଧ୍ଵନିର ତାଳେତାଳେ ରଥକୁ ବିଜେ କରୁଛନ୍ତି ଠାକୁରେ। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଛି। ସେବାୟତମାନଙ୍କ କାନ୍ଧରେ ପ୍ରଭୁ ସୁଦର୍ଶନ ମା ସୁଭଦ୍ରାଙ୍କ ରଥ ଦର୍ପଦଳନ ଉପରେ ବିଜେ କରିଛନ୍ତି। ସୁଦର୍ଶନଙ୍କ ପରେ ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ତାଙ୍କ ପରେ ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତେଙ୍କ ପହଣ୍ଡି ହେବ। ଏହି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବାକୁ ବଡ଼ଦାଣ୍ଡରେ ଗହଣି ଲାଗିଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚର୍ମଚକ୍ଷୁରେ ଏହି ଦିବ୍ୟ ଦୃଶ୍ୟ ଦେଖି କୃତାର୍ଥ ମଣୁଛନ୍ତି।
ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁ ମେ.. ଆଜି ଜଗତର ନାଥ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସମୟ ଯେତେ ଗଡୁଛି ବଡ଼ଦାଣ୍ଡରେ ଭିଡ ସେତେ ବଢୁଛି । ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ରଥାରୂଢ ମହାବାହୁକୁ ଦେଖିବା ପାଇଁ ଆତୁର ନୟନରେ ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହେଉଛି ଗଗନପବନ । ରତ୍ନବେଦୀ ଛାଡି ନଅ ଦିନ ପାଇଁ ଜନ୍ମବେଦୀ ଯିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୂଢ ଦାରୁବ୍ରହ୍ମଙ୍କ ଟିକିଏ ଦର୍ଶନ ମିଳିଗଲେ ଧନ୍ୟ ହୋଇଯିବ ଚର୍ମଚକ୍ଷୁ, ମୋକ୍ଷ ପାଇଯିବ ମନ । ଭାବ ଓ ଭକ୍ତିରେ ଏକାକାର ହୋଇଯିବେ ଭକ୍ତ ଓ ଭଗବାନ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି ।
