ଦିଗପହଣ୍ଡି: ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ଦୀର୍ଘ ୮ ବର୍ଷ ପରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। କାଲି ସନ୍ଧ୍ୟାରେ କଲେଜ ପ୍ରଶାସନ ପକ୍ଷରୁ ବିଜୟୀ ପ୍ରାର୍ଥୀ ମାନଙ୍କ ନାମ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଛାତ୍ର ସଂସଦ ସଭାପତି ଭାବେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ସ୍ବାଧୀନ ପ୍ରାର୍ଥୀ ରୂପେ ଲଢୁୁଥିବା ରାଜେନ୍ଦ୍ର ସେଠୀ ମାତ୍ର ୨ଟି ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା ଘୋଷଣା କରାଯିବା ପରେ ଅନ୍ୟ ଏକ ଗୋଷ୍ଠୀରୁ ନିର୍ବାଚନ ମଇଦାନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିବା ଡି.ସଞ୍ଜୀବ କୁମାର ଦୋରା କମ୍‌ ସଂଖ୍ୟକ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିବାରୁ ନର୍ଦ୍ଧାରିତ ନିୟମ ଅନୁଯାୟୀ ଆବଶ୍ୟକ ଅର୍ଥ ପୈଠ କରି ଭୋଟ୍‌ ପୁନଃ ଗଣତି ପାଇଁ ଆବେଦନ କରିଥିଲେ। ସମୁଦାୟ ୯ଟି ଭୋଟ ନାକଚ ହୋଇଥିବାରୁ ଏହାକୁ ନେଇ ଉପୁଜିଥିଲା ଦନ୍ଦ୍ୱ। ସଭାପତି ପଦବୀର ଭୋଟ୍‌ ଗଣତି ଫଳାଫଳକୁ ବାତିଲ କରାଯାଇଥିବା କଲେଜ ପ୍ରଶାସନ ପକ୍ଷରୁ ଘୋଷଣା କରାଯିବା ପରେ କଲେଜ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ରାଜେନ୍ଦ୍ରଙ୍କ ବହୁ ସଂଖ୍ୟକ ସମର୍ଥକ ହୋ- ହଲ୍ଲା କରିଥିଲେ। ଖବରପାଇ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ସନ୍ତୋଷ କୁମାର ସାହୁ, ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଥାନା ଆଇଆଇସି କିଶୋର କୁମାର ସାମଲ ଫୋର୍ସ ସହ କଲେଜରେ ପହଞ୍ଚିଥିଲେ। କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଉଭୟ ସଭାପତି ପ୍ରାର୍ଥୀଙ୍କ ଉପସ୍ଥିତିରେ ଭୋଟ୍‌ ପୁନଃ ଗଣତି କରାଯାଇଥିଲା। ଉଭୟଙ୍କ ସହମତି ଭିତ୍ତିରେ ୩୨ ଭୋଟ୍‌ ନାକଚ ହେବା ସହ ପୂର୍ବରୁ ମତଗଣନାରେ ପରାଜିତ ହୋଇଥିବା ପ୍ରାର୍ଥୀ ୫ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ରାତି ପ୍ରାୟ ସାଢେ ୧୨ଟାରେ ଏନେଇ ଫଳାଫଳ ଘୋଷଣା କରାଯାଇଥିଲା। ପରାଜିତ ପ୍ରାର୍ଥୀ ରାଜେନ୍ଦ୍ର ଫଳାଫଳକୁ ଚ୍ୟାଲେଞ୍ଜ କରି ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଧାରିତ ନିୟମ ଅନୁଯାୟୀ କଲେଜ ନିର୍ବାଚନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଦରଖାସ୍ତ କରିଥିଲେ। ଅଭିଯୋଗ ପ୍ରକୋଷ୍ଠରେ ଏନେଇ ଶୁଣାଣି କରାଯିବା ନେଇ କଲେଜ ଅଧ୍ୟକ୍ଷ ତଥା ନିର୍ବାଚନ ଅଧିକାରୀ ସୁପାରିସ କରିବା ପରେ ଛାତ୍ର ବୃନ୍ଦ କଲେଜରୁ ଫେରିଥିଲେ। ସମସ୍ତ ଛାତ୍ର କଲେଜରୁ ଫେରିବା ପରେ ପୋଲିସ କର୍ଡନରେ ଅଧ୍ୟକ୍ଷ, ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ।