ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ । 24 ଅକ୍ଟୋବର ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇ ଆସନ୍ତା 26 ତାରିଖରେ ବାତ୍ୟା ରୂପ ନେଇପାରେ । ବାତ୍ୟା ସୃଷ୍ଟି ପରେ ପରବର୍ତ୍ତୀ ଦୁଇଦିନରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଶକ୍ତିଶାଳୀ ହେବ । ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, 23 ଅକ୍ଟୋବର ସକାଳ 5.30 ବେଳକୁ ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆସନ୍ତାକାଲି ବେଳକୁ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ଗତି କରି ଅକ୍ଟୋବର 25 ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହେବ । ଏହାପରେ 26 ଅକ୍ଟୋବର ସକାଳ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟାରେ ପରିଣତ ହେବା ପରେ ତା ପରବର୍ତ୍ତୀ ଦୁଇଦିନ ( ଅକ୍ଟୋବର 27 ଓ 28) ପର୍ଯ୍ୟନ୍ତ ଆହୁରି ତୀବ୍ର ହେବ । ଏହି ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡକୁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ରହିଛି ।ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ସନ୍ଧ୍ୟା ବେଳକୁ ଝଡ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ 35-45ରୁ 55 କିମି ରହିପାରେ । ଆସନ୍ତାକାଲି (24 ଅକ୍ଟୋବର) ବେଳକୁ ପବନର ବେଗ ବଢିପାରେ ଘଣ୍ଟା ପ୍ରତି 65 କିମି ବେଗରେ ପବନ ବହିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଆସନ୍ତା ଦୁଇ ସପ୍ତାହ ପାଇଁ ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ପୂର୍ବାନୁମାନ ଅନୁସାରେ, 26 ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ପାଖ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଘଣ୍ଟା ପ୍ରତି 70-80 କିମି ବେଗରେ ପବନ ବହିପାରେ । ଝଟକା ପବନ ବେଗ 90 କିମି ଛୁଇଁପାରେ ।ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅକ୍ଟୋବର ୨୬ରୁ ୨୯ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ । ୨୬ ତାରିଖ ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଓ ଗଜପତି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ପବନ ବହିବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୟେଲୋ ଆଲର୍ଟ ।
ସେହିପରି ୨୭ ତାରିଖ ସକାଳୁ ବଢିବ ବର୍ଷାର ପରିମାଣ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
