ଭୁବନେଶ୍ୱର: ଓଡ଼ିଶା ଡିଜିପି ନିଯୁକ୍ତି ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତା ୧୮ ତାରିଖ ଯାଏ ଏନେଇ କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ । ଏନେଇ ଗୁରୁବାର ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଅଣଦେଖା କରି ଓଡ଼ିଶା ସରକାର ଅଯୋଗ୍ୟ ଅଫିସରଙ୍କୁ ସୁପାରିଶ ପ୍ୟାନେଲରେ ସାମିଲ ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ବାଲେଶ୍ୱରର ଜୟନ୍ତ ଦାସଙ୍କ ଦ୍ୱାରା ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଦେ୍ର୍ଧଶ ଦେଇଛନ୍ତି । ୟୁପିଏସସି ୧୮ ତାରିଖ ଯାଏ ନିଷ୍ପତ୍ତି ନେଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ଆସନ୍ତା ୧୮ ତାରିଖ ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ଦିନ ଧାର୍ଯ୍ୟ କରାଯାଇଛି । ଡିଜିପି ଚୟନ ପ୍ରକ୍ରିୟାରେ ତ୍ରୁଟି ଥିବା ଆମିକସକୁ୍ୟରୀ ଦର୍ଶାଇଥିବା ଜଣାଯାଇଛି ।
ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ସୋମବାର ୧୯୯୪ ବ୍ୟାଚ୍ ଆଇପିଏସ୍ ସଞ୍ଜିବ କୁମାର ପଣ୍ଡା ଓ ଯଶବନ୍ତ ଜେଠୁୱାଙ୍କୁ ବେଶ୍ ନାଟକୀୟ ଓ ରକେଟ୍ ଗତିରେ ପଦୋନ୍ନତି ଦେଇଛନ୍ତି। ନୂଆ ପୁଲିସ ଡିଜି ଚୟନ ପାଇଁ ଅଗଷ୍ଟ ୭ତାରିଖରେ ୟୁପିଏସସି ବୈଠକରେ ଓଡ଼ିଶା ସରକାର ନିଜର ପୂର୍ବ ତାଲିକା(୧୧ଜଣିଆ ଆଇପିଏସ ଅଫିସରଙ୍କ)ର ସଂଶୋଧନ କରିବେ ବୋଲି ମତ ଦେବା ପରେ ୮ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ୨ଟି ଅସ୍ଥାୟୀ ଏକ୍ସ-କ୍ୟାଡ଼ର ଡିଜି ପଦବୀ ସୃଷ୍ଟି ପାଇଁ ଅନୁମତି ମାଗିଥିଲେ। ୯ତାରିଖ ରବିବାର କେନ୍ଦ୍ର ସରକାର ଏହି ସମ୍ମତି ଦେବାପରେ ୧୦ତାରିଖରେ(ସୋମବାର) ପଦୋନ୍ନତି କମିଟି ବୈଠକ ବସି ସଞ୍ଜିବ ଓ ଯଶବନ୍ତଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯିବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ନୂଆ ପୁଲିସ ଡିଜି ଚୟନ ପାଇଁ ଗତ ଏପ୍ରିଲ ମାସରୁ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ବାରମ୍ବାର ନିଜର ନିଷ୍ପତ୍ତିରେ ପରିବର୍ତ୍ତନ କରି ଏହି ଚୟନ ପ୍ରକ୍ରିୟାକୁ ଜଟିଳ କରିଦେଇଛନ୍ତି। ୧୬ତାରିଖରେ ବର୍ତ୍ତମାନର ଡିଜି ୱାଇବି ଖୁରାନିଆଙ୍କ କାର୍ୟ୍ୟକାଳ ଶେଷ ହେଉଥିବାରୁ ତା’ପୂର୍ବରୁ ରାଜ୍ୟକୁ ନୂଆ ସ୍ଥାୟୀ ଡିଜି ମିଳିବେ ବୋଲି ଆଶା କରାଯାଉଥିଲା ।ତେବେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ପରେ ତାହା ଏବେ ସମ୍ଭବପର ନୁହେଁ ।
