ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ୩ଦିନ ହେଲା ସାରା ରାଜ୍ୟରେ ଲଗାଣ ବର୍ଷା ହେଉଛି। ଏହାରି ଫଳରେ କେଉଁଠି ଘରେ ପାଣି ପଶି ଜିନିଷପତ୍ର ବୁଡିଲାଣି ତ ଆଉ କେଉଁଠି ପାଣି ଘେରରେ ଲୋକେ ରହିଛନ୍ତି। ଗାଁରୁ ସହର ସବୁଠି ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ଅନ୍ୟପଟେ ଲଗାଣ ବର୍ଷରେ ଋଷିକୁଲ୍ୟା, ବଂଶଧାରା ଏବଂ ବୈତରଣୀ ଫୁଲିବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା ସହ ମହାନଦୀରେ ମଧ୍ୟ ଜଳସ୍ତର ବଢ଼ୁଛି। ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ୁଥିଲେ ମଧ୍ୟ ବନ୍ୟା ଆସିବାର ଆଶଙ୍କା ନାହିଁ ବୋଲି ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।
ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରବିବାର ଅପରାହ୍ଣ ୩ଟା ସୁଦ୍ଧା ଋଷିକୁଲ୍ୟା ସୋରଡାରେ ୭୭.୩୦ମିଟରରେ ଜଳ ପ୍ରବାହ ହେଉଥିଲା। ଏଠାରେ ବିପଦ ସଙ୍କେତ ୮୧.୯ମିଟର ରହିଛି। ସେହିପରି ପୁରୁପୋଷମପୁରରେ ବିପଦ ସଙ୍କେତ ୧୬.୮୪ମିଟର ଥିବାସ୍ଥଳେ ୧୧.୬୭ମିଟରରେ ଜଳ ପ୍ରବାହ କରୁଥିଲା। ଏଠାରେ ଜଳ ପତ୍ତନ ବଢ଼ୁଥିଲା। ବଂଶଧାରାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ କାଶୀନଗରରେ ଜଳସ୍ତର ବଢ଼ୁଛି। ଏଠାରେ ବିପଦ ସଙ୍କେତ ୫୪.୬୦ମିଟର ଥିବାବେଳେ ୫୨ମିଟରରେ ନଦୀଜଳ ପ୍ରବାହିତ ହେଉଥିଲା। ବୈତରଣୀ ଆନନ୍ଦପୁର ଏବଂ ଆଖୁଆପଦାରେ ବଢ଼ୁଛି। ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୬ମିଟର ଥିବାବେଳେ ୩୪.୦୩ ମିଟରରେ ପ୍ରବାହିତ ହେଉଥିଲା। ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ମିଟର ଥିବାବେଳେ ୧୬.୭୭ ମିଟରରେ ଜଳ ପ୍ରବାହିତ ହେଉଥିଲା। ମହାନଦୀର ନରାଜରେ ବିପଦ ସଙ୍କେତ ୨୬.୪୧ମିଟର ଥିବାବେଳେ ଏଠାରେ ରାତି ୯ଟା ସୁଦ୍ଧା ୨୨.୦୯ମିଟରରେ ଜଳ ପ୍ରବାହିତ ହେଉଛି। ଲଗାଣ ବର୍ଷରେ ଭୁବନେଶ୍ବର ସହରରେ କିଛି ଜାଗାରେ ପାଣି ଜମିଥିବାରୁ ବିଏମ୍‌ସି ପକ୍ଷରୁ ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଇଛି। କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। ତଳିଆ ଅଞ୍ଚଳରେ ପାଣି ଉଛୁଳି ରାସ୍ତାରେ ଚାଲିଛି। ତୁହାକୁ ତୁହା ବର୍ଷାରେ କେତେକ ସ୍ଥାନରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଥିଲା। ବଲାଙ୍ଗିରରେ ଲଗାଣ ବର୍ଷାରେ ପୁଇଁନ୍ତଳା ବ୍ଲକ୍ ଲୁହୁରେନପାଲିରେ ଭୁଶୁଡି ପଡ଼ିଛି ଝାଟିମାଟି ଘର। ଯେଉଁଥିରେ ଜଣକ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଖପ୍ରାଖୋଲ-କଣ୍ଟାବାଞ୍ଜି ରାସ୍ତାରେ ଚାଲିଛି ୩ଫୁଟର ବର୍ଷାପାଣି ଏବଂ ଏହି ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ଖୋରଧା-ବଲାଙ୍ଗିର ରେଲୱେର ଆଡେଣିଗଡ଼ ୪ନମ୍ବର ଟନେଲରେ ପଶିଛି ବର୍ଷାଜଳ ଏବଂ ପ୍ରଭାବିତ ହୋଇଛି ଟନେଲ ନିର୍ମାଣ। ଲଗାଣ ବର୍ଷାରେ ବୌଦ୍ଧ ସାଲୁଙ୍କି ନଦୀ ଫୁଲୁଥିବା ବେଳେ ଲକ୍ଷ୍ମୀପଦର ଅଞ୍ଚଳର ଦୁଇ ମହିଳା ପାଣିଘେରରେ ଫସିଯାଇଥିଲେ। ଅଗ୍ନିଶମ କର୍ମଚାରୀ ୩ରୁ ୪ଘଣ୍ଟା ପରିଶ୍ରମ କରି ସୁରକ୍ଷିତ ଭାବେ ଉଦ୍ଧାର କରିଥିବା କୁହାଯାଉଛି। ନୂଆପଡାର ରାୟପୁରରୁ ଗୋପାଳପୁର ସଂଯୋଗ କରୁଥିବା ଜାତୀୟ ରାଜପଥ ୩୫୩ କୋମନା ରାସ୍ତାରେ ଚାଲିଛି ୨ଫୁଟର ବର୍ଷାପାଣି। ଲଖନା ରେଲୱେ ଅଣ୍ଡରପାସରେ ୫ଫୁଟର ପାଣି ଜମି ରହିଥିବା ଜଣାପଡ଼ିଛି। ଦୁଇ ଦିନ ହେଲା ଲଗାଣ ବର୍ଷାରେ ଗଛ ଉପୁଡି ପଡ଼ିବାରୁ ୫୯ନମ୍ବର ଜାତୀୟ ରାଜପଥ ବାଲିଗୁଡା-ତୁମୁଡିବନ୍ଧ ରାସ୍ତା ଅବରୋଧ ହୋଇଛି। ବାଘ ନଦୀ ଫୁଲୁଥିବାରୁ ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ପଞ୍ଚାୟତବାସୀଙ୍କ ବିପଦଜନକ ଯାତ୍ରା କରୁଛନ୍ତି।
ଦକ୍ଷିଣରେ ଲଗାଣ ବର୍ଷାରେ କୋରାପୁଟ ପ୍ରଭାବିତ ହୋଇଛି। ଜିଲାର ନାରାୟଣପାଟଣାରେ ଜଣେ ମହିଳା ନଦୀ ସ୍ରୋତରେ ଭାସି ଯାଇ ନିଖୋଜ ଥିବା ଅଭିଯୋଗ ହୋଇଛି। ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ପୌରାଞ୍ଚଳର ତଳି ଅଞ୍ଚଳରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ। ଗଞ୍ଜାମ ଦିଗପହଣ୍ଡିର ଉପର ମୁଣ୍ଡରେ ବର୍ଷା ଲାଗି ରହିବାରୁ ବଢ଼ୁଛି ଘୋଡାହାଡ ଡ୍ୟାମ ଜଳସ୍ତର। ସମ୍ବଲପୁରରେ ପ୍ରବଳ ବର୍ଷା ହୋଇଥିବା ବେଳେ ସହର ଡ୍ରେନ୍‌ରେ ଜଳ ନିଷ୍କାସନ ସମସ୍ୟା ଦେଖାଦେଇଥିଲା। କଟକ ସହରରେ ମଧ୍ୟ ଡ୍ରେନ୍‌ ଗୁଡିକରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରିବାରୁ ରାସ୍ତାରେ ପାଣି ଲହଡ଼ି ମାରିଛି। ଲଗାଣ ବର୍ଷାରେ କ୍ଷୟକ୍ଷତି ନେଇ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଦ୍ୟାବଧି କୌଣସି ସୂଚନା ଦିଆଯାଇ ନାହିଁ।