ଭୁବନେଶ୍ଵର : ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ଓଡ଼ିଶା ବନ୍ୟାରେ ଉବୁଟୁବୁ ହେଉଛି। ଫଳରେ ପାଞ୍ଚ ଜିଲ୍ଲାର ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୧ ଲକ୍ଷ ୭୬ ହଜାର ୭୩ ଜଣ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି। ସରକାରୀ ସୂଚନା ମୁତାବକ ବନ୍ୟାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପଜାରୀ ଏହି ପ୍ରତିକ୍ରିୟା ଦେଇଛନ୍ତି।
ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, ମହାନଦୀ ପାଇଁ କଟକ ଏବଂ ଜଗତସିଂହପୁରରେ ବ୍ୟାପକ ପ୍ରସ୍ତୁତି ହୋଇଛି। ରାଜ୍ୟରେ ବର୍ତ୍ତମାନ ବର୍ଷା ବନ୍ଦ ଅଛି। ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର କଳାହାଣ୍ଡିରେ ଝିପିଝିପି ବର୍ଷା ହେଉଛି । ଆଗାମୀ ତିନି ଦିନ ବର୍ଷା ନାହିଁ। ୨ ତାରିଖ ପରେ ପୁନର୍ବାର ବର୍ଷା ଆକଳନ କରାଯାଉଛି। ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ନହେବା ଆଶ୍ୱସ୍ତିକର ଖବର। ବର୍ତ୍ତମାନ ହୀରାକୁଦରେ ୬୨୦ ଫୁଟ ଜଳସ୍ତର ରହିଛି। ୨ ଟି ଗେଟ୍ ଖୋଲା ଅଛି। ମୁଣ୍ଡଳୀରେ ସାଢେ ୬ ଲକ୍ଷ କ୍ୟୁସେକ ଜଳ ପହଁଚୁଥିଲା। ରାତିସୁଦ୍ଧା ନରାଜରେ ୯ ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ। କଟକର ବଡ଼ମ୍ବା, ଆଠଗଡ଼ ତଳିଆ ଅଞ୍ଚଳରେ ଜଳ ପହଞ୍ଚିଲାଣି। ସେଣ୍ଟ୍ରାଲ ୱାଟର କମିଶନଙ୍କ ରିପୋର୍ଟ ଅନୁସାରେ ମୁଣ୍ଡଳୀରେ ଜଳସ୍ତର ୱାର୍ଣ୍ଣିଂ ଲେବୁଲ୍ ଉପରେ ଅଛି କିନ୍ତୁ ବିପଦ ସଙ୍କେତ ଟପିନି। ବର୍ତ୍ତମାନ ବିଭିନ୍ନ ନଦୀରେ ଜଳସ୍ତର କମିବା ଆରମ୍ଭ କଲାଣି।
ମନ୍ତ୍ରୀ କହିଛନ୍ତି ଯେ, ୫ ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଭଦ୍ରକ,ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା କିଛି ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ମୋଟ ୧ ଲକ୍ଷ ୬୫ ହଜାର ଲୋକ ରିଲିଫ୍ ସେଣ୍ଟରରେ ରହିଛନ୍ତି। ନରାଜରେ ୧୦ ଲକ୍ଷ କ୍ୟୁସେକ ଜଳ ଆସିଲେ ସମସ୍ୟା ଉପୁଜିପାରେ। ତେଣୁ ନରାଜରେ କିଭଳି ୧୦ ଲକ୍ଷ କ୍ୟୁସେକ ଜଳ ଭିତରେ ରଖାଯାଇ ପାରିବ ସେହି ଅନୁସାରେ ବନ୍ୟାଜଳ ପରିଚାଳନା ପାଇଁ ନିର୍ଦ୍ଦେଶ ରହିଛି। ବର୍ତ୍ତମାନ ହୀରାକୁଦରେ ୬୨୦ ଫୁଟ ଜଳସ୍ତର ରହିଛି। ୬୨୨ ଫୁଟ ପର୍ଯ୍ୟନ୍ତ ରଖାଯାଇ ପାରିବ। ଉପରମୁଣ୍ଡରେ ବର୍ଷା ନଥିବାରୁ ସେଭଳି କିଛି ସମସ୍ୟା ନାହିଁ।
ତେବେ ରାଜସ୍ବ ମନ୍ତ୍ରୀ ଏରିଆଲ ସର୍ଭେରେ ବାହାରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ବନ୍ୟା ପ୍ରଭାବିତ ପାଞ୍ଚ ଜିଲ୍ଲା ଗସ୍ତ କରିବେ। ଯାଜପୁର, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦୁଝର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ।.
ସେପଟେ ରାଜ୍ୟରେ ବନ୍ୟା ସ୍ଥିତି ଯୋଗୁଁ ନଗର ଉନ୍ନୟନ ବିଭାଗ ଆଲର୍ଟରେ ରହିଛି। ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ୨୪ ଘଣ୍ଟିଆ ଆଲର୍ଟ ରହିବାକୁ କୁହାଯାଇଛି। ଅଧିକାରୀଙ୍କୁ କଣ୍ଟ୍ରୋଲ ରୁମରେ ରହି ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡ୍ରେନେଜ୍ ସିଷ୍ଟମଠାରୁ ଅଧିକରୁ ଅଧିକ ବର୍ଷା ହୋଇଥିବାରୁ, ସହରାଞ୍ଚଳରେ ପାଣି ବିଭିନ୍ନ ସ୍ଥାନରେ ପଶିଛି। ସବୁ ୟୁଏଲବିରେ ଷ୍ଟ୍ରଙ୍ଗ ଡ୍ରେନେଜ୍ ମାଷ୍ଟର ପ୍ଲାନ୍ କରିବା ପାଇଁ ଯୋଜନା କରାଯାଇଛି। ଖୁବଶୀଘ୍ର ଏହାର ଡିପିଆର ଆସିବ ଏବଂ ଏହାକୁ କାର୍ଯ୍ୟକାରୀ କରାଯିବ। ବର୍ତ୍ତମାନ ପମ୍ପସେଟ ଲଗାଯାଇ ପାଣି ଡ୍ରେନେଜ କରାଯାଉଛି। ବିଭାଗ ସତର୍କତାର ସହିତ କାମ କରୁଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଯେଉଁଠି ଆବଶ୍ୟକତା ପଡିବ ପାଣି, ଖାଦ୍ୟ ଏବଂ ଲାଇଟର ବ୍ୟବସ୍ଥା କରାଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
