ପୁରୀ: ବର୍ଷାରେ ଭିଜୁଛି ବଡଦାଣ୍ଡ, ଭକ୍ତିଭାବରେ ଭିଜୁଛନ୍ତି ଭକ୍ତ । ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ଭକ୍ତି, ବିଶ୍ୱାସ ଓ ପରମ୍ପରାର ମହାପର୍ବ ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ। ବର୍ଷକରେ ଥରେ ରତ୍ନସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି। ଗତକାଲି ଠାରୁ ପୁରୀରେ ଲଗାଣ ବର୍ଷା ଜାରି ରହିଛି । ବର୍ଷାକୁ ଖାତିର ନ କରି ବଡଦାଣ୍ଡରେ ଭିଡ ଜମାଇଲେଣି ଶ୍ରଦ୍ଧାଳୁ ।ପୁରୀ ସହରରେ ଗତ 45 ଘଣ୍ଟାରେ (ଆଜି ସକାଳ 5ଟା 30ସୁଦ୍ଧା ) 200 ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ରଥଯାତ୍ରା ଅବସରରେ ପୁରୀରେ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଗୁରୁବାର ସକାଳ ୭ଟାରେ ଜାରି କରାଯାଇଥିବା ବୁଲେଟିନ ଅନୁଯାୟୀ, ଆଗାମୀ ୬ ଘଣ୍ଟା ପର୍ଯ୍ୟନ୍ତ ପୁରୀରେ ଆକାଶ ସାଧାରଣତଃ ମେଘୁଆ ରହିବା ସହ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ଓ ଘଡ଼ଘଡ଼ି ସମ୍ଭାବନା ରହିଛି। ତାପମାତ୍ରା ୨୫ରୁ ୨୭ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ସହ ଆର୍ଦ୍ରତା ୯୮ରୁ ୧୦୦ ପ୍ରତିଶତ ରହିବ । ଏଥିଯୋଗୁଁ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ।