ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକାଳେ ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତାକାଲି ଅବପାତ ଏବଂ ୨୫ ଅକ୍ଟୋବରରେ ଗଭୀର ଅବପାତର ରୂପ ନେବ । ୨୬ ଅକ୍ଟୋବର ସକାଳ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୨ ଦିନ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ଯାହାକୁ ନେଇ ବାତ୍ୟ ଭୟ ବଢିବାରେ ଲାଗିଛି । ଆଇଏମଡି ପୂର୍ବାନୁମାନ ଅନୁସାରେ ଏହା ଭୀଷଣ ବାତ୍ୟା ନୁହେଁ ସାଧାରଣ ବାତ୍ୟା ଆକାରରେ ସ୍ଥଳଭାଗ ଛୁଇଁବ । କିନ୍ତୁ କିଛି ବିଦେଶୀ ପାଣିପାଗ ସଂସ୍ଥା କହିଛନ୍ତି ଏହା ଭୀଷଣ ବାତ୍ୟାର ଆକାର ନେଇପାରେ ।
ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି SRC । ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ଚିଠିରେ କୁହାଯାଇଛି ଯେ ଆଜି ସକାଳ ସାଢେ ୫ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତାକାଲି ଏହା ଅବପାତର ରୂପ ନେବ। ପଶ୍ଚିମ-ଉତ୍ତର ଦିଗରେ ଏହା ଗତି କରି ୨୫ ତାରିଖରେ ଗଭୀର ଅବପାତର ରୂପ ନେବ । ୨୬ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବ । ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାବ ଛୁଇଁପାରେ ।
