ଅଭିନେତ୍ରୀ ଜୀନତ୍ ଅମାନ୍ ଲିଭ୍-ଇନ୍ ସମ୍ପର୍କ ସପକ୍ଷରେ ତାଙ୍କର ମତକୁ ପୁଣି ଥରେ ଦୋହରାଇଛନ୍ତି। ନିକଟରେ ଏକ ସାକ୍ଷାତ୍କାର ଦେଇ ସେ ଯୁକ୍ତି ବାଢ଼ିଛନ୍ତି ଯେ ବିବାହ ପରି ଯାବଜ୍ଜୀବନ ଆଇନଗତ ନିଷ୍ପତ୍ତି ନେବା ପୂର୍ବରୁ ପୁଅଝିଅ ଏକାଠି ସମୟ ବିତାଇବା ଉଚିତ। ତାଙ୍କର ଏହି ଉପଦେଶ ଅତୀତରେ ମଧ୍ୟ ସମାଲୋଚନାର ସମ୍ମୁଖୀନ ହୋଇଛି। ମୁମ୍ତାଜ ଓ ସାୟରା ବାନୁଙ୍କ ପରି ସମକାଳୀନ ଅଭିନେତ୍ରୀମାନେ ମଧ୍ୟ ତାଙ୍କର ଏହି ବିଚାରକୁ ବିରୋଧ କରିଛନ୍ତି। ତଥାପି ଜୀନତ୍ ତାଙ୍କ ମତରେ ଅଟଳ ରହିଛନ୍ତି। ସେ କହିଛନ୍ତି ଯେ ଆଜିର ସମୟରେ ‘ଲିଭ୍-ଇନ୍’ ସମ୍ପର୍କର ପ୍ରାସଙ୍ଗିକତା ଆହୁରି ବଢ଼ିଯାଇଛି। ଆଜି କିଛି ବି ସ୍ଥାୟୀ ନୁହେଁ। ତେଣୁ ଆଇନଗତ ବୁଝାମଣାରେ ପ୍ରବେଶ କରିବା ପୂର୍ବରୁ ପୁଅ ଝିଅ ପରସ୍ପର ସହ ମାନସିକ ଓ ଆବେଗିକ ସ୍ତରରେ ଖାପ ଖାଉଛନ୍ତି କି ନାହିଁ ତାହା ଜାଣିବା ଗୁରୁତ୍ବପୂର୍ଣ୍ଣ। ସନ୍ତାନ ଚାହୁଁଥିଲେ, ତାକୁ କିପରି ବଡ଼ କରିବେ? ଟଙ୍କାପଇସା ନେଇ ଉଭୟଙ୍କ ବିଚାର କ’ଣ? ଯଦି ବିଚାର ମେଳ ଖାଉ ନାହିଁ ତେବେ ଲାଭ କ’ଣ? ଏ ସବୁ ପ୍ରଶ୍ନର ଉତ୍ତର ଖୁବ୍ ଜରୁରି। ତେଣୁ ପନ୍ଦର ବର୍ଷ ଦୁଃଖଦ ଜୀବନରୁ ପାଞ୍ଚ ବର୍ଷ ସୁଖଦ ଜୀବନ ଶ୍ରେୟସ୍କର ବୋଲି ଜୀନତ୍ ବିଶ୍ବାସ କରନ୍ତି। ସେ ନିଜର ଦୁଇ ପୁଅଙ୍କୁ ସମାନ ଉପଦେଶ ଦେଇଆସିଛନ୍ତି। ‘ଲିଭ୍-ଇନ୍’ ସପକ୍ଷରେ ତାଙ୍କ ବିଚାର ନିଜସ୍ବ ଅଭିଜ୍ଞତାରୁ ନିଃସୃତ ବୋଲି ସେ କହନ୍ତି। Facebook WhatsApp Twitter/X Telegram Messenger Print Email Post navigation ପରଲୋକରେ ଖ୍ୟାତନାମା ନିର୍ଦ୍ଦେଶକ ରମେଶ ମହାନ୍ତି ‘ପ୍ରଳୟ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି ରଣବୀର ସିଂହ