କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଚିନ୍ତା ବଢାଇଲାଣି ଉପରମୁଣ୍ଡ ବର୍ଷା । ପ୍ରବଳ ବର୍ଷା ଓ ବନ୍ୟା ଜଳର କ୍ରମାଗତ ଚାପ ଯୋଗୁଁ ଗତକାଲି(ବୁଧବାର) ବୈତରଣୀ ନଦୀର ସୁରକ୍ଷା ବନ୍ଧ ଭାଙ୍ଗିଯାଇଛି । ରାଜକନିକା ବ୍ଲକ ଅନ୍ତର୍ଗତ ନଦୀକୂଳିଆ ସୁରକ୍ଷା ବନ୍ଧରେ ବିଳମ୍ବିତ ରାତିରେ ଏକ ବିରାଟ ଘାଇ ସୃଷ୍ଟି ହୋଇଛି । ଏହି ଘାଇ ଫଳରେ ନଦୀର ପ୍ରବଳ ବନ୍ୟା ଜଳ ଗାଁ ଭିତରକୁ ମାଡ଼ିଆସିବାରୁ ରାଜକନିକା ବ୍ଲକର ତିନୋଟି ପ୍ରମୁଖ ପଞ୍ଚାୟତ ସଂପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇପଡ଼ିଛନ୍ତି । ହଜାର ହଜାର ଲୋକ ଏବେ ପାଣି ଘେରରେ ରହି ଜୀବନ ସହ ସଂଗ୍ରାମ କରୁଛନ୍ତି ।
ଗତ କିଛି ଦିନ ହେବ ବୈତରଣୀ ନଦୀରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ତେବେ ଗତକାଲି ଦୁର୍ବଳ ଥିବା ନଦୀବନ୍ଧ ପ୍ରବଳ ଜଳସ୍ରୋତ ସମ୍ଭାଳି ନପାରି ଶେଷରେ ଭାଙ୍ଗିଯାଇଥିଲା । ପ୍ରାୟ ୩୫ ଫୁଟରୁ ଉର୍ଦ୍ଧ୍ୱ ଚଉଡ଼ାର ଏହି ଘାଇ ଦେଇ ବିପଜ୍ଜନକ ଭାବେ ଜଳ ଗ୍ରାମାଞ୍ଚଳକୁ ପ୍ରବେଶ କରୁଛି । ଏହି ବିପର୍ଯ୍ୟୟ ହେତୁ ବାରହା ଦୋମଣ୍ଡା,କାଟଣା,ଭାରିଗଦା ଓ କୋଇଲିପୁର ପଞ୍ଚାୟତର ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି । ଗାଁର ଦାଣ୍ଡ-ଘର,ରାସ୍ତାଘାଟ ସବୁଆଡ଼େ ଏବେ ୪ ରୁ ୫ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି ।ଏନେଇ ସ୍ଥାନୀୟ ଅଞ୍ଚଳର ସୁଶାନ୍ତ ନାୟକ କହିଛନ୍ତି, ‘ବିଳମ୍ବିତ ରାତିରେ ନଦୀବନ୍ଧ ଭାଙ୍ଗି ଯାଇଥିଲା 35 ଫୁଟ୍ ଚଉଡାର ଘାଇ ସୃଷ୍ଟି ହୋଇଥିଲା । ପ୍ରବଳ ପାଣି ଗାଁରେ ପଶିବାରୁ 25ରୁ ଅଧିକ ଗାଁ ବିଚ୍ଛିନ୍ନ ହୋଇଯାଇଛନ୍ତି ।
ମୁଖ୍ୟ ରାସ୍ତାଗୁଡ଼ିକ ଉପରେ ବନ୍ୟା ପାଣି ଚାଲୁଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଲୋକମାନେ ନିଜ ନିଜ ଘରର ଛାତ,ଉଚ୍ଚ ସ୍ଥାନ ଓ ନଦୀବନ୍ଧ ଉପରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ଶହ ଶହ ଏକର ଚାଷଜମିରେ ହୋଇଥିବା ଧାନ ଚାଷ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ନଷ୍ଟ ହେବାକୁ ବସିଛି । ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟ ଓ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି । ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଥିବାରୁ ସମ୍ପୂର୍ଣ୍ଣ ଅଞ୍ଚଳ ଅନ୍ଧାରରେ ବୁଡ଼ି ରହିଛି ଏବଂ ସାପ ଓ ଅନ୍ୟାନ୍ୟ ବିଷାକ୍ତ କୀଟପତଙ୍ଗଙ୍କ ଭୟ ଲୋକଙ୍କୁ ଆତଙ୍କିତ କରିଛି ବନ୍ୟା ପ୍ରଭାବିତ କହିଛନ୍ତି ।
ଘାଇ ସମ୍ପର୍କରେ ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନିକ ଅଧିକାରୀମାନେ ଆଜି ଘଟଣାସ୍ଥଳରେ ପହଞ୍ଚି ନଜର ରଖିଛନ୍ତି। ବନ୍ୟା ଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଓଡ଼୍ରାଫ (ODRAF) ଓ ଅଗ୍ନିଶମ ବାହିନୀର ଟିମ୍କୁ ମୁତୟନ କରାଯାଇଛି । ବୋଟ୍ ସାହାଯ୍ୟରେ ବିପନ୍ନମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ (ଚୁଡ଼ା, ଗୁଡ଼, ବିସ୍କୁଟ) ଓ ପାନୀୟ ଜଳ ପ୍ୟାକେଟ୍ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜକନିକା ତହସିଲଦାର ଭାନୁମତୀ ମାଝୀ ।
