ଚେନ୍ନାଇ: ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦକ୍ଷିଣାଞ୍ଚଳ ଆଞ୍ଚଳିକ ପରିଷଦର ବୈଠକରେ ଯୋଗଦେବା ପାଇଁ ଚେନ୍ନାଇରେ ପହଞ୍ଚିଥିବା ଗୃହମନ୍ତ୍ରୀ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ବିଜୟ ସ୍ୱାଗତ କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହା ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ସହ ସାକ୍ଷାତର ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । କୋଭଲମ୍, ଚେଙ୍ଗଲପଟ୍ଟୁଠାରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣାଞ୍ଚଳ ଆଞ୍ଚଳିକ ପରିଷଦର ୩୧ତମ ବୈଠକ ପୂର୍ବରୁ ସେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ସେ ଲେଖିଛନ୍ତି ।
ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ବିଭିନ୍ନ ବିବାଦ ଏବଂ ଜଳ ବଣ୍ଟନ ସମସ୍ୟା ଉପରେ ଆଲୋଚନା ହେବ ।କର୍ଣ୍ଣାଟକ, ତାମିଲନାଡ଼ୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କେରଳ ମଧ୍ୟରେ ନଦୀ ଜଳ ବଣ୍ଟନକୁ ନେଇ ରହିଥିବା ବିବାଦ ବୈଠକରେ ଉଠିବାର ସମ୍ଭାବନା ରହିଛି ।ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଏବଂ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ବିଚାରବିମର୍ଶ କରାଯିବ ।
ଏହି ବୈଠକରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳମ୍, ତାମିଲନାଡ଼ୁ, ତେଲେଙ୍ଗାନା ସହିତ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀ, ଆଣ୍ଡାମାନ ଓ ନିକୋବର ଏବଂ ଲାକ୍ଷାଦ୍ୱୀପର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଏବଂ ପ୍ରଶାସକମାନେ ଅଂଶଗ୍ରହଣ କରୁଛନ୍ତି । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଏହି ଦକ୍ଷିଣାଞ୍ଚଳ ଆଞ୍ଚଳିକ ପରିଷଦର ଉପାଧ୍ୟକ୍ଷ ଅଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ଆଜିର ବୈଠକ ପରେ ସନ୍ଧ୍ୟାରେ ସେଠାସ୍ଥିତ ପ୍ରସିଦ୍ଧ ଶୋର ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ।