ଭୁବନେଶ୍ବର : ଗଭୀର ଅବପାତ ପ୍ରଭାବରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ, ମହାନଦୀ ଓ ଏହାର ପ୍ରମୁଖ ଉପନଦୀ ତେଲ ନଦୀ ଅବବାହିକାରେ ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦରୁ ଖଇରମାଳ ଏବଂ ବରମୂଳ ମଧ୍ୟବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଏହାର ପାଣି ମହାନଦୀରେ ପ୍ରବେଶ କରୁଛି। ସେପଟେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୭ଫୁଟ୍ ଅତିକ୍ରମ କଲାଣି। ଛତିଶଗଡ଼ରେ ବର୍ଷା ଲାଗି ରହିଥିବାରୁ ଆଗକୁ ଛତିଶଗଡ଼ରୁ ବି ପାଣି ଆସିବ। ଏସବୁ ଦେଖିଲେ, ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମହାନଦୀରେ ମଧ୍ୟମଧରଣ ବନ୍ୟା ଆସିବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି। ଗୁରୁବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପ୍ରାୟ ୯ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟାରେ ମୁଣ୍ଡଳିଠାରେ ପ୍ରାୟ ୯ଲକ୍ଷରୁ ଅଧିକ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ମହାନଦୀ କୂଳିଆ ଜିଲାଗୁଡ଼ିକୁ ସତର୍କ କରାଯାଇଛି। ଦୟା, ଭାର୍ଗବୀ, କୁଶଭଦ୍ରା, କୁଆଖାଇ ଆଦି ନଦୀଗୁଡ଼ିକ ଫୁଲି ଉଠିବ। ଯଦ୍ଦ୍ବାରା ନିମାପଡ଼ା, କଣାସ, ଗୋପ, ଅସ୍ତରଙ୍ଗ ଅଞ୍ଚଳରେ ବନ୍ୟା ଆସିବାର ସମ୍ଭାବନା ରହିଛି। ମହାନଦୀରେ ବନ୍ୟା ଆସିଲେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଖୋରଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ ଆଦି ଜିଲାଗୁଡିକର ନଦୀକୂଳିଆ ଗାଁ ପ୍ରଭାବିତ ହେବ। ମହାନଦୀରେ ଆସୁଥିବା ବନ୍ୟା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ମହାନଦୀ ପ୍ରଭାବିତ ଜିଲାଗୁଡ଼ିକୁ ବରିଷ୍ଠ ଅଧିକାରୀଙ୍କୁ ପଠାଯିବା ସହ ବନ୍ୟା ବନ୍ଧ ଉପରେ କଡ଼ା ନଜର ରଖିବାକୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ଥିବାରୁ ପୁରୀ, ଖୋରଧା, ଜଗତସିଂହପୁର, କଟକ ଏବଂ କେନ୍ଦ୍ରାପଡା ଜିଲା ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି।
ଜଳସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟାନୁଯାୟୀ, ବୁଧବାର ଅପରାହ୍ଣ ୪ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ରାତି ୯ଟା ସୁଦ୍ଧା ୬୧୮.୪୫ଫୁଟରେ ପହଞ୍ଚିଛି। ଉପରମୁଣ୍ଡରୁ ଜଳ ଭଣ୍ଡାରକୁ ୨,୨୭,୯୦୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଦୁଇଟି ଫାଟକ ଖୋଲା ରହିଛି। ଏଥିସହ ପାୱାର ଚ୍ୟାନେଲ ଏବଂ କେନାଲ ଦେଇ ୬୪,୩୯୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣ କରିବା ପାଇଁ ହୀରାକୁଦ ଜଳ ଭଣ୍ଡାରରୁ ଫାଟକ ଖୋଲାଯାଉନାହିଁ। ତଳମୁଣ୍ଡରୁ ପାଣି ଛାଡ଼ିଲେ ଅଧିକ ଫାଟକ ଖୋଲିବା କଥା ଚିନ୍ତା କରାଯିବ। କିନ୍ତୁ, ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣ କରିବାକୁ ହୀରାକୁଦ ଜଳ ଭଣ୍ଡାର ଜଳସ୍ତର ୬୨୦ ଫୁଟ୍ ପର୍ଯ୍ୟନ୍ତ ରଖିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ତେଲ ନଦୀ ଅବବାହିକାର ଜିଲାଗୁଡିକରେ ପ୍ରବଳ ହୋଇଛି। ତେଲରୁ ମହାନଦୀକୁ ୩,୦୪,୯୬୦ କ୍ୟୁସେକ୍ ପାଣି ପ୍ରବେଶ କରୁଛି। ବୌଦ୍ଧରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଅପରାହ୍ଣ ୪ଟାରେ ଖଇରମାଳରେ ୮.୧୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳରେ ୬.୧୬ଲକ୍ଷ କ୍ୟୁସେକ ଜଳ ପ୍ରବାହ କରୁଛି। ରାତି ୯ଟାରେ ମୁଣ୍ଡଳିରେ ୬,୧୪,୩୬୫ କ୍ୟୁସେକ୍ ବନ୍ୟା ଜଳ ତଳମୁଣ୍ଡକୁ ପ୍ରବାହ ହେଉଛି। ତେଲ ସହିତ ଖଇରମାଳ ପାଣି ଗୁରୁବାର ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ। ଏଠାରେ ପ୍ରାୟ୯ଲକ୍ଷ କିମ୍ବା ଏହାଠାରୁ ଊର୍ଦ୍ଧ୍ବ କ୍ୟୁସେକ ଜଳ ପ୍ରବାହ କରିବାର ସମ୍ଭାବନା ରହିଛି। ମୁଣ୍ଡଳିରେ ୯ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଲେ ତଳିଆ ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣ ବନ୍ୟା ଆସିଥାଏ। ଯଦି ୧୦ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହୁଏ, ବଡ଼ ବନ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।
ଉତ୍ତରରେ ଛିଡୁଛି ବନ୍ୟାଜଳ
ଉତ୍ତରରେ ସୃଷ୍ଟି ହୋଇଥିବା ନଦୀଗୁଡିକରେ ବନ୍ୟାଜଳ ଛିଡୁଥିବା ବେଳେ ମହାନଦୀ ବଢ଼ିବାରେ ଲାଗିଛି। ଗୁରୁବାର ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତିରେ ସୁଧାର ଆସିବାକୁ ଯାଉଥିବା ବେଳେ ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ବଢ଼ିଛି। ବୈତରଣୀ, ଜଳକା, ସାଳନ୍ଦୀ ଏବଂ ବୁଢ଼ାବଳଙ୍ଗରେ ବନ୍ୟା ଆସିବାରୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ସମୁଦ୍ର ପାଣି ଶୋଷୁଥିବାରୁ ବନ୍ୟା ପାଣି ଛିଡୁଛି। ତଥାପି ବୁଢ଼ାବଳଙ୍ଗ, ଜଳକା, ସାଳନ୍ଦୀ ଏବଂ ବୈତରଣୀ କେଉଁଠି ବିପଦ ସଙ୍କେତ ଉପରେ ଅଛି ତ ଆଉ କେଉଁଠି ବିପଦ ସଙ୍କେତ ନିକଟତରରେ ପ୍ରବାହିତ ହେଉଛି। ହେଲେ ଜଳସ୍ତର ଆସ୍ତେ ଆସ୍ତେ କମୁଛି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାଳ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟାନୁଯାୟୀ, ରାତି ୯ଟାରେ ଜଳକା ବିପଦ ସଙ୍କେତ ୬.୫ମିଟର ଥିବାବେଳେ ୬.୭୨ମିଟରରେ ଜଳ ପ୍ରବାହ ହେଉଥିଲା। ଏଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବୈତରଣୀ ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ମିଟର ଥିବାବେଳେ ୧୯.୪୯ମିଟରରେ ପ୍ରବାହିତ ହେଉଛି। କିନ୍ତୁ ଏଠାରେ ବୁଧବାର ଦିନ ୧୦ଟା ବେଳକୁ ବନ୍ୟାଜଳ ଶୀର୍ଷ ୨୦.୩୫ ମିଟର ଛୁଇଁଥିଲା। ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୬ମିଟର ଥିବାବେଳେ ୩୭.୬୦ମିଟର ପ୍ରବାହିତ ହେଉଥିଲା। ବୈତରଣୀ ଜଳସ୍ତର ଏଠାରେ ବିପଦ ସଙ୍କେତ ତଳକୁ ଆସିଛି। କିନ୍ତୁ ଏଠାରେ ଗତକାଲି ରାତି ୧୨ଟାରେ ଶୀର୍ଷ ବନ୍ୟାଜଳ ୪୦.୬୪ମିଟର ଛୁଇଁଥିଲା। ବୁଢ଼ାବଳଙ୍ଗ ଏନ୍ଏଚ୍-୫ ଗୋବିନ୍ଦପୁରଠାରେ ବିପଦ ସଙ୍କେତ ୮.୧୩ମିଟର ଥିବାବେଳେ ୮.୧୬ମିଟର ପ୍ରବାହିତ ହେଉଥିଲା। ଏଠାରେ ମଧ୍ୟ ବୁଢ଼ାବଳଙ୍ଗ ଶୀର୍ଷ ବନ୍ୟାଜଳ ୮.୬୬ମିଟର ଛୁଇଁଥିଲା।
