ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲାରେ ଜଣେ ପୁଲିସ କନେଷ୍ଟବଳଙ୍କ କ୍ଷତବିକ୍ଷତ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ବେଲଗୁଣ୍ଠା ଥାନାରେ କାର୍ଯ୍ୟରତ କନେଷ୍ଟବଳ ରମା ଶଙ୍କର ସ୍ୱାଇଁ। ତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ଏହା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ତାହା ସ୍ପଷ୍ଟହୋଇନାହିଁ।
ସୂଚନା ଅନୁଯାୟୀ, ରମା ଶଙ୍କରଙ୍କ ନିଜ ଘର ବିଞ୍ଝଗିରି ନିକଟସ୍ଥ ପଥରା ଗ୍ରାମରେ ହୋଇଥିବା ବେଳେ ସେ ଭଞ୍ଜନଗରର ଲଣ୍ଡେଇସାହିରେ ରହୁଥିଲେ। ଗତ ଚାରି ବର୍ଷ ଧରି ସେ ବେଲଗୁଣ୍ଠା ଥାନାରେ କାର୍ଯ୍ୟରତ ଥିଲେ। ଶନିବାର ରାତି ପ୍ରାୟ ୯ଟାରେ ସେ ନିଜ ହୋଣ୍ଡା ୟୁନିକର୍ଣ୍ଣ ମୋଟର ସାଇକେଲ ଯୋଗେ ଥାନାରୁ ବାହାରିଥିଲେ। ରାତି ପ୍ରାୟ ୧୧ଟାରୁ ୧୨ଟା ମଧ୍ୟରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡ଼ିପୁର କଲେଜ ନିକଟସ୍ଥ ଏକ ପୋଖରୀ ପାଖରେ ସେ ଓ ତାଙ୍କ ମୋଟରସାଇକେଲ ପଡ଼ିଥିବା ନେଇ ଜଗନ୍ନାଥ୍ ପ୍ରସାଦ ପୁଲିସକୁ ଖବର ମିଳିଥିଲା।
ଖବର ପାଇ ଜଗନ୍ନାଥପ୍ରସାଦ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜଗନ୍ନାଥପ୍ରସାଦ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ତାରସିଂ ଥାନାରେ କାର୍ଯ୍ୟରତ ତାଙ୍କ କନେଷ୍ଟବଳ ଭାଇ ଉମା ଶଙ୍କର ସ୍ୱାଇଁଙ୍କୁ ସୂଚନା ଦିଆଯାଇଥିବା ବେଳେ ଜଗନ୍ନାଥପ୍ରସାଦ ଥାନାରେ ଏନେଇ ଅଭିଯୋଗ ହୋଇଛି। ରବିବାର ସକାଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଯାଇଛି।
ପ୍ରାଥମିକ ଭାବେ କୌଣସି ଅଜଣା ଗାଡ଼ି ଧକ୍କା ଦେବା କିମ୍ବା ରାସ୍ତାରେ ହଠାତ୍ ଜଙ୍ଗଲୀ ଜନ୍ତୁ ଆସିଯିବାରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ମୋଟରସାଇକେଲରେ ଆଖିଦୃଶିଆ କ୍ଷୟକ୍ଷତି ହୋଇନଥିବା ବେଳେ ରମା ଶଙ୍କରଙ୍କ ଶରୀରରେ ବିଭିନ୍ନ କ୍ଷତଚିହ୍ନ ରହିଥିବା ଜଣାପଡ଼ିଛି। ସେ କିଛି ଦୂର ଘୋଷାଡ଼ି ହୋଇଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ତେବେ ଘଟଣାର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ସେ ଜଣେ ସରଳ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କ ବିୟୋଗରେ ବେଲଗୁଣ୍ଠା ପ୍ରେସକ୍ଲବ ପକ୍ଷରୁ ମଧ୍ୟ ଗଭୀର ଶୋକପ୍ରକାଶ କରାଯାଇଛି। ମୃତ କନେଷ୍ଟବଳଙ୍କ ଦୁଇ ପୁଅ ଥିବା ବେଳେ ବଡ଼ ପୁଅ ଯୁକ୍ତଦୁଇ ଏବଂ ସାନ ପୁଅ ନବମ ଶ୍ରେଣୀରେ ପଢ଼ୁଥିବା ଜଣାପଡ଼ିଛି।
