ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଜାରି ରହିଛି ତୁହାକୁ  ତୁହା ବର୍ଷା । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା  ଢାଳିଛି । ପାଣିପାଗ ପୂର୍ବାନୁମାନ ଯାହା, ଲଘୁଚାପ ଆହୁରି ଘନୀଭୂତ ହେବ । ଏହା  ପ୍ରଭାବରେ ଆସନ୍ତା ୫/୬  ତାରିଖ ପର୍ଯ୍ୟନ୍ତ ରାଜ୍ୟର  ଲଗାଣ ବର୍ଷା ସମ୍ଭାବନା ଅଛି ।  ଏହା ପରେ ବର୍ଷା ପ୍ରକୋପ  କମିବ । କିନ୍ତୁ, ପାଗ ପୂରା ଶୁଖିଯିବନି । କିଛି କିଛି ସ୍ଥାନରେ ବର୍ଷା ରହିବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ  ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
ଆଗାମୀ ୨ ଦିନ ଭିତରେ ଏହା ଆହୁରି ଘନୀଭୂତ ହେବା ସମ୍ଭାବନା ଅଛି । ଏପଟେ  ଓଡ଼ିଶାରେ ମୌସୁମୀ ପୂରା ସକ୍ରିୟ ରହିଛି । ଗତ ୨୪ ଘଣ୍ଟା ଭିତରେ  ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଥିବାବେଳେ  ବରଗଡ଼, ସମ୍ବଲପୁର, ସୋନପୁର, କନ୍ଧମାଳ, ବଲାଙ୍ଗୀର,  ମାଲକାନଗିରି, କେନ୍ଦୁଝର, ଝାରସୁଗୁଡ଼ା ଓ କଟକର ଗୋଟିଏ ଦୁଇଟି  ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁ  ମାଲକାନଗିରି କାଲିମେଳାର ପିତାପଲ୍ଲୀଘାଟୀରେ ପାହାଡ଼ରୁ ମାଟି ଅତଡ଼ା  ଧସିଛି । ରାସ୍ତାରେ ଗଛ, ମାଟି, ପଥର ପଡ଼ି ରହିବାରୁ ୫ଟି ଗାଁକୁ ସନ୍ଧ୍ୟା  ପର୍ଯ୍ୟନ୍ତ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ଥିଲା । କୋରାପୁଟର ଲମତାପୁଟରେ  ବି ଲଗାଣ ବର୍ଷାରେ ରାସ୍ତାରେ ମାଟି ଅତଡ଼ା ଧସିବା ସହ ବହୁ ଗଛ  ଉପୁଡ଼ି ପଡ଼ିଛି । କନ୍ଧମାଳରେ ପ୍ରବଳ ବର୍ଷା ଯୋଗୁ ଦୁଇଦିନ (ଗୁରୁବାର,  ଶୁକ୍ରବାର) ସ୍କୁଲ ଛୁଟି ଘୋଷଣା କରାଯାଇଛି । ସୋନପୁରରେ ବର୍ଷା  ପାଣି ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଛି । ଭୁବନେଶ୍ୱରରେ ମଧ୍ୟ  ବିଭିନ୍ନ ରାସ୍ତାରେ ଆଜି ପାଣି ଚାଲିଥିଲା । କଟକ ଭୁଆଶୁଣିପଡ଼ାରେ  ପ୍ରବଳ ବର୍ଷା ପାଇଁ  ୬ ଲେନ୍‌ ରାସ୍ତା ଦବିଥିବା ଖବର ଆସିଛି ।

ପାଣିପାଗ ବିଭାଗ ଆକଳନ କରିଛି, ୬ ତାରିଖ ପର୍ଯ୍ୟନ୍ତ  ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ । ଆସନ୍ତା ଦୁଇଦିନ  ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଶୁକ୍ରବାର କୋରାପୁଟ,  ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ  ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା,  ଗଜପତିରେ ପ୍ରବଳରୁ ପ୍ରବଳତର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଏବଂ  ବ ପ୍ରବଳ ବର୍ଷା ସମ୍ଭାବନା ଯୋଗୁ ବାଲେଶ୍ୱର, କଟକ, ମୟୂରଭଞ୍ଜ,  ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ,  ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ୪ ତାରିଖରେ କୋରାପୁଟ ଓ ମାଲକାନଗିରିରେ ରେଡ୍‌ ୱାର୍ଣ୍ଣିଂ  ଏବଂ ଉପକୂଳ ଓଡ଼ିଶା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।  ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ୪୦ରୁ ୬୦ କିମି  ପବନ ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ  କରାଯାଇଛି । ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ପୂର୍ବାନୁମାନରେ  କୁହାଯାଇଛି, ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିସ୍ତାରିତ ଭାବେ  ପ୍ରବଳ ବର୍ଷା ହୋଇପାରେ । ୧୦ ତାରିଖରୁ ୧୬ ତାରିଖ ଭିତରେ  ପ୍ରବଳ ବର୍ଷା ସମ୍ଭାବନା ନଥିଲେ ମଧ୍ୟ ସ୍ୱାଭାବିକ ବର୍ଷା ହୋଇପାରେ ।