କବିସୂର୍ଯ୍ୟନଗର: ଲୁଟ ପାଇଁ ବୃଦ୍ଧାଙ୍କୁ ହତ୍ୟା। ସୁନା ଚୋରି କରିବାକୁ ଆସି ବୃଦ୍ଧାକୁ ମାରିଦେଲେ ଚୋର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଘାଟ ପାଇକ ସାହିର ଏ ଘଟଣା। ଲୁଟ ଲାଗି ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧା ଜଣକ ହେଲେ  ପ୍ରତିମା ଜେନା ହୋଇଥିବା ବେଳେ ଘରେ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି lପ୍ରତିମାଙ୍କ ପୁଅ-ଝିଅ କେହି ନଥିବା ବେଳେ ସେ ଘରେ ଏକା ରହୁଥିଲେ।

ଗତ ରାତିରେ ପାଖାପାଖି ୧୧ଟା ପର୍ଯ୍ୟନ୍ତ ବାରଣ୍ଡାରେ ବସି ସେ ସମ୍ପର୍କୀୟଙ୍କ ସହ କଥା ହୋଇ ଶୋଇବାକୁ ଯାଇଥିବା ବେଳେ ଆଜି ସକାଳୁ ଘର କବାଟ ଖୋଲାଥିବା ସମ୍ପର୍କୀୟ ମାନେ ଦେଖିଥିଲେ l ଘରେ ଯାଇ ଦେଖିଲା ବେଳେକୁ ପ୍ରତିମାଙ୍କ ମୃତଦେହ ଖଟ ତଳେ ପଡିବା ରହିବା ସହ ସେ ପିନ୍ଧିଥିବା ସୁନା ହାର, କାନଫୁଲ ଓ ଚୁଡି ନଥିବା ଦେଖିବାକୁ ମିଳିଛି। ଘର ଆଲମିରାର କବାଟ ଖୋଲା ରହିଛି। ଲୁଟ ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ l କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି।