ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ବୁଧବାର ପୂର୍ବାହ୍ନରେ ପୁଣିଥରେ ୨ଟି ସ୍ଲୁଇସ ଗେଟ୍‌ ଖୋଲାଯାଇଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମପାର୍ଶ୍ୱର ୧୧ ଓ ଦକ୍ଷିଣ ପାର୍ଶ୍ୱର ୬ଟି ମିଶି ମୋଟ୍‌ ୧୭ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ଅତିରିକ୍ତ ବନ୍ୟାଳଳ ନିଷ୍କାସନ କରାଯାଉଛି। ଅପରାହ୍ନ ସାଢ଼େ ୯ଟାରେ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୨୦.୩୫ ଫୁଟକୁ ବୃଦ୍ଧି ପାଇଥିବାବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୩ ଲକ୍ଷ ୭୯ ହଜାର ୭୬୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି।

ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ୍‌ ୩ ଲକ୍ଷ ୫୪୬ ଘନଫୁଟ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ୧୭ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ୨ ଲକ୍ଷ ୬୬ ହଜାର ୮୬୬ ଘନଫୁଟ ଏବଂ ବିଭିନ୍ନ କେନାଲ, ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲ ଓ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ମୋଟ୍‌ ୩୩,୬୮୦ ଘନଫୁଟ ଜଳ ନିଷ୍କାସିତ ହେଉଛି।