ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବ ଅନୁମୋଦନ ହୋଇଛି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟ କେତେକ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ସେଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୭ଟି ପ୍ରସ୍ତାବ ପାରିତ ହୋଇଛି । ସେହିପରି ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ସମବାୟ ୧ଟି, କୃଷି ଓ କୃଷକ ସଶକ୍ତି କରଣ ୧, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧, ରାଜସ୍ବ ୧ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟର ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି ।
ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନା ଅନ୍ତର୍ଗତ କ୍ଲଷ୍ଟର ୩୬ ମାଧ୍ୟମରେ ୩ ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହେବ । ତେଲ ଓ ଉନ୍ଦେର ନଦୀରୁ ଜଳ ଉତ୍ତୋଳନ କରି ବଲାଙ୍ଗିର ଜିଲ୍ଲାର ୪,୩୩୦ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବ । ଏହା ସହିତ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପ ଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣ ହେବ । ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ୧୨୧ କୋଟି ୮୦ ଲକ୍ଷ ୭୮ ହଜାର ୬୬୧ ଟଙ୍କା ଓ ୧୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ୯ କୋଟି ୭୪ ଲକ୍ଷ ୪୬ ହଜାର ୨୯୩ ଟଙ୍କାର ଟେଣ୍ଡର ଅନୁମୋଦନ ହୋଇଛି । ପ୍ରକଳ୍ପ ୩୬ ମାସ ମଧ୍ୟରେ ସମ୍ପୂର୍ଣ ହେବ । ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ବଲାଙ୍ଗିର ଜିଲ୍ଲାର ୨୫ ଟି ଗ୍ରାମର କୃଷକମାନେ ଉପକୃତ ହେବେ ।
