ପୁରୀ:  ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚି ସାରିଛି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଦୁଇ ରଥ ପହଞ୍ଚିବା ପରେ ସମଗ୍ର ଶରଧାବାଲି ଭକ୍ତଙ୍କ ଜୟଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି । ‘ଜୟ ଜଗନ୍ନାଥ’, ‘ହରିବୋଲ’ ଓ ହୁଳହୁଳିର ଧ୍ୱନିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରଥ ଦର୍ଶନ କରିବା ସହ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛନ୍ତି । ବଡ଼ଠାକୁର ଓ ମା’ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢ଼ିଯାଇଛି ।

ଏବେ ସମସ୍ତଙ୍କ ନଜର ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଉପରେ । କାଳିଆ ସାଆନ୍ତଙ୍କ ରଥ ଶରଧାବାଲିରେ ପହଞ୍ଚିବା ପାଇଁ ଭକ୍ତମାନେ ଅଧୀର ଅପେକ୍ଷା କରିରହିଛନ୍ତି । ନନ୍ଦିଘୋଷ ପହଞ୍ଚିବା ପରେ ଗୁଣ୍ଡିଚା ଯାତ୍ରାର ଆଉ ଏକ ଐତିହାସିକ ଅଧ୍ୟାୟ ସମ୍ପୂର୍ଣ୍ଣ ହେବ । ପୁଲିସ, ପ୍ରଶାସନ ଓ ସେବାୟତମାନଙ୍କ ସମନ୍ୱୟରେ ରଥଯାତ୍ରା ସୁରୁଖୁରୁରେ ଚାଲିଥିବାବେଳେ, ଶରଧାବାଲିରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ସଭିଙ୍କ ତୁଣ୍ଡରେ ଏବେ କେବଳ ଗୋଟିଏ ଧ୍ୱନି—”ଜୟ ଜଗନ୍ନାଥ” ।